ଖାଦ୍ୟରୁ ମିଳିଲା ସାପ କାତି, ତଦନ୍ତ ପ‌ରେ ବନ୍ଦ ହେଲା ରେସ୍ତୋରାଁ

ତିରୁବନନ୍ତପୁରମ୍: ଅନେକ ସମୟରେ ରେସ୍ତୋରାଁରେ ଖାଉଥିବା ଖାଦ୍ୟ ବା ଅର୍ଡର କରି ଖାଉଥିବା ଖାଦ୍ୟରୁ ଅସରପା, ମୂଷା ବା କେଶ ବାହାରିବାର ଖବର ଆପଣ ପଢ଼ିଥିଲେ। ହେଲେ କେରଳରେ ଏକ ରେସ୍ତୋରାଁ ଡେଲିଭର କରିଥିବା ଖାଦ୍ୟରୁ ସାପ କାତି ବାହାରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଅଜବ ଘଟଣା ଘଟିବା ପରେ ସାପ କାତି ଥିବା ଖାଦ୍ୟ ପାଇଥିବା ମହିଳା ଅଭଯୋଗ କରିବାରୁ ତଦନ୍ତ କରାଯାଇ ରେସ୍ତୋରାଁକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ତିରୁବନନ୍ତପୁରମ ବାସିନ୍ଦା ପ୍ରିୟା ଗତ ଗୁରୁବାର ସହରର ନେଡୁମାଙ୍ଗଡୁ ଅଞ୍ଚଳର ଏକ ରେସ୍ତୋରାଁରୁ ଦୁଇ ଖଣ୍ଡ ପରଟା ଅର୍ଡର କରିଥିଲେ। ଖାଦ୍ୟ ଡେଲିଭର ପରେ ସେ ପ୍ରଥମେ ତାଙ୍କ ଝିଅକୁ ଡାକି ଖାଇବାକୁ ଦେଇଥିଲେ। ଝିଅ ଖାଦ୍ୟ ଖାଇ ସାରିବା ପରେ ଯେତେବେଳେ ପ୍ରିୟା ନିଜେ ଖାଇବାକୁ ବସିଲେ, ସେତେବେଳେ ତାଙ୍କ ପରାଟା ଉପରେ ଗୁଡ଼ାଯାଇଥିବା କାଗଜରେ ସାପ କାତି ଲାଗିଥିବା ଦେଖିଥିଲେ। ହଠାତ୍ ତାଙ୍କ ଖାଦ୍ୟରେ ଏଭଳି ସାପ କାତିକୁ ଦେଖି ସେ ଡରିଯିବା ସହ ପୁଲିସରେ ଏନେଇ ଅଭିଯୋଗ କରିଥିଲେ।

indiatoday

ପ୍ରିୟାଙ୍କ ଅଭିଯାଗ ଶୁଣିବା ପରେ ପୁଲିସ ତାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପାଖକୁ ଯିବାକୁ କହିଥିଲେ। ପରେ ପ୍ରିୟାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରେସ୍ତୋରାଁର ଯାଞ୍ଚ କରିଥିଲେ। ଯାଞ୍ଚ ପ‌ରେ ଅପରିଷ୍କାର ସ୍ଥାନରେ ରୋଷେଇ ହେଉଥିବା ଦେଖି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରେସ୍ତୋରାଁକୁ ତୁରନ୍ତ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ସାପ କାତିଟି ପରଟାରେ ନୁହେଁ ବରଂ ଗୁଡ଼ାଯାଇଥିବା କାଗଜରେ ଥିଲା।

ସମ୍ବନ୍ଧିତ ଖବର