ୱାୟନାଡ: ଶ୍ରେଣୀଗୃହରେ ୧୦ବର୍ଷୀୟା ଛାତ୍ରୀର ସାପ କାମୁଡ଼ାରେ ମୃତ୍ୟୁ ହେବା ପରେ କେରଳ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବା ସହ ସ୍କୁଲରେ ଥିବା ଅଭିଭାବକ ସଂଘକୁ ମଧ୍ୟ ଭାଙ୍ଗି ଦେଇଛନ୍ତି କେରଳ ସରକାର। ଅନ୍ୟ ପକ୍ଷରେ କେରଳ ହାଇକୋର୍ଟର ବିଚାରପତି ଘଟଣାକୁ ଗମ୍ଭୀରତାର ସହ ନେଇ ସ୍କୁଲକୁ ଯାଇ ତଦାରଖ କରିଥିବା ଜଣାପଡ଼ିଛି। ଏହା ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

publive-image oneindia.com

ଘଟଣାଟି ବୁଧବାର ଘଟିଥିବା ବେଳେ ଶୁକ୍ରବାର ଏ ନେଇ ଅନେକ ସଂଗଠନ ନ୍ୟାୟ ପାଇଁ ଆନ୍ଦୋଳନ କରିଥିବାର ଦେଖାଯାଇଥିଲା। ଯାହା ପରେ ପରେ ତୁରନ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ସୂଚନା ମୁତାବକ, ବୁଧବାର ଏସ୍ ସେହଲା ସ୍କୁଲ ଯିବା ପରେ ଶ୍ରେଣୀଗୃହରେ ଥିବା ଏକ ଗାତରେ ତାଙ୍କ ଗୋଡ଼ ପଡ଼ି ଯାଇଥିଲା। ଯାହା ପରେ ଗାତ ଭିତରେ ଥିବା ସାପଟି ବାହାରି ସେହଲାଙ୍କୁ କାମୁଡ଼ି ଦେଇଥିଲା। କାମୁଡ଼ିବାର ୪ଘଣ୍ଟା ପରେ ସେହଲାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି।

ଘଟଣା ଦିନ ୩ଟା ୧୦ମିନିଟରେ ସାପ କାମୁଡ଼ିବା ପରେ ସେହଲା ଏ ନେଇ ସ୍କୁଲ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ୪ଟାରେ ସ୍କୁଲ ଛୁଟି ହେବା ପରେ ତାଙ୍କ ବାପାଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଯାହା ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍କୁଲ ଛୁଟି ପରେ ତାଙ୍କୁ ୩ଟି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେହଲାଙ୍କୁ ବଞ୍ଚାଯାଇ ପାରି ନଥିଲା।