ନୂଆଦିଲ୍ଲୀ: ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଟ୍ରାଫିକ୍‌-ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆର ସ୍ନିଫର୍‌ ଡଗ୍‌ ସ୍କ୍ବାଡ୍‌ ମୁତୟନ କରାଯିବ। ସ୍ନିଫର ଡଗ୍‌ ସ୍କ୍ବାଡ୍‌ର ୧୧ଟି କୁକୁର ଓ ସେମାନଙ୍କର ୨୨ ଜଣ ‌ହେଣ୍ଡଲରଙ୍କୁ ବର୍ତ୍ତମାନ ହରିୟାଣା ପଞ୍ଚକୁଳାର ବିଟିସି-ଆଇଟିବିପିରେ ପ୍ରଶିକ୍ଷଣ ଦିଆଯାଉଛି। ୬ରୁ ୯ ମାସର ୧୧ଟି କୁକୁର ବେଲଜିଆନ୍‌ ମାଲିନୋଏସ ପ୍ରଜାତିର। ୧୧ଟି କୁକୁରଙ୍କୁ ବନ୍ୟଜନ୍ତୁ ଅପରାଧକୁ ଚିହ୍ନଟ କରିବା ତଥା ତାହା ଉପରେ ଅଙ୍କୁଶ ଲାଗାଇବା ପାଇଁ ୭ରୁ ୮ ମାସ ପର୍ଯ୍ୟନ୍ତ କଠିନ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ଶେଷ ହେବା ପରେ ସ୍ନିଫର୍‌ ଡଗ୍‌ ସ୍କ୍ବାଡ୍‌କୁ ଓଡ଼ିଶା ସମେତ ଦେଶର ଚାରିଟି ରାଜ୍ୟର ବ୍ୟାଘ୍ର ଅଭୟାରଣ୍ୟରେ ମୁତୟନ କରାଯିବ। ଅନ୍ୟ ତିନୋଟି ଅଭୟାରଣ୍ୟ ହେଲା ମହାରାଷ୍ଟ୍ରର ପେଞ୍ଚ, ଛତିଶଗଡ଼ର ଅଚାନକମାର ଓ ପଶ୍ଚିମବଙ୍ଗର ବକ୍ସା ଅଭୟାରଣ୍ୟ। ଟ୍ରାଫିକ୍‌-ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆର ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରଶିକ୍ଷିତ ହେବାକୁ ଥିବା ସୁପର୍‌ ସ୍ନିଫର୍‌ ଡଗ୍‌ ସ୍କ୍ବାଡ୍‌ ସେମାନଙ୍କର ତୀକ୍ଷ୍ଣ ଆଘ୍ରାଣ ଶକ୍ତି ‌ଯୋଗୁ ଅଭୟାରଣ୍ୟରେ ଶିକାରୀମାନଙ୍କୁ ଠାବ କରିବାରେ ସଫଳ ହେବେ। ଏଥି ସହିତ ଜଙ୍ଗଲରେ ଯଦି ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା ଉପୁଜେ ତାହା ଉପରେ ମଧ୍ୟ ସ୍ନିଫର୍‌ ଡଗ୍‌ ନଜର ରଖିପାରିବେ।