ଉତ୍ତର ଭାରତରେ ବରଫ ବର୍ଷା ଜାରି, ଘରୁ ବାହାରି ପାରୁନାହାଁନ୍ତି ଲୋକ

ସିମଲା: ଖସୁଛି ପାରଦ, ବଢୁଛି ଶୀତ । ଉତ୍ତର ଭାରତରେ ସବୁଠୁ ଅଧିକ ଶୀତ ଅନୁଭୁତ ହେଉଛି । ଫଳରେ ହିମାଚଳ ପ୍ରଦେଶ ସହ ଉତ୍ତରାଖଣ୍ଡ ଓ ଜାମ୍ମୁକାଶ୍ମୀରରେ ଜାରି ରହିଛି ବରଫପାତ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି ବରଫ ବର୍ଷା । ଧଳା ରଙ୍ଗର ମୋଟା ଚାଦର ତଳେ ଢ଼ାଙ୍କି ହୋଇ ରହିଛି ଜମ୍ମୁକାଶ୍ମୀରର ଡ଼ୋଡ଼ା ସହର । ବରଫ ତଳେ ଲୁଚି ରହିଛି ଗଛପତ୍ର, ରାସ୍ତାଘାଟ ଓ ଘରଦ୍ୱାର । ତୁଷାରପାତ ସାଙ୍ଗକୁ ଅନୁଭୁତ ହେଉଛି ପ୍ରବଳ ଥଣ୍ଡା । ଯାହାଫଳରେ ଘରୁ ବାହାରି ପାରୁନାହାଁନ୍ତି ଲୋକ । ରାସ୍ତାଘାଟରେ ବରଫ ଜମି ରହିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି । ସେପଟେ ଉତ୍ତରାଖଣ୍ଡ ନୈନିତାଲରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା ।

Photo by : English News

ପ୍ରବଳ ବରଫ ବର୍ଷା ଯୋଗୁଁ ଛତା ଧରି ଲୋକ ଘରୁ ବାହାରୁଛନ୍ତି । ବରଫ ବର୍ଷା ପାଇଁ ଯାତାୟତ ଠପ ହୋଇଯାଇଛି । ହିମାଚଳ ପ୍ରଦେଶର ପାଞ୍ଚଟି ଜାତୀୟ ରାଜପଥ ସମେତ ୮୫୪ଟି ରାସ୍ତା ବନ୍ଦ ଅଛି । ଯାତାୟତ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ବରଫ ସଫା କରୁଛି । ସେହିପରି ହିମାଚଳ ପ୍ରଦେଶର ୫ଟି ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଛି । କିନ୍ନୌର କଳ୍ପାରେ ମାଇନସ ୯ ଦଶମିକ ତାପମାତ୍ରା ଥିବାବେଳେ ମନାଲିରେ ମାଇନସ ୭ ଦଶମିକ ୮ ରହିଛି ତାପମାତ୍ରା |

ଗୋଟିଏ ପଟେ ପ୍ରବଳ ଥଣ୍ଡାରେ ସ୍ଥାନୀୟ ବାସିନ୍ଦା ଥରୁଥିବାବେଳେ ଅନ୍ୟପଟେ କିନ୍ତୁ ବରଫ ବର୍ଷାର ଦୃଶ୍ୟର ମଜା ନେବାକୁ ଏଠାରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ବରଫ ବର୍ଷା ପାଇଁ ରଙ୍ଗ ବଦଳାଇଛି ପର୍ବତମାଳା । ସୂର୍ଯ୍ୟଙ୍କ କିରଣ ସାଙ୍ଗକୁ ପାହାଡ଼ରେ ପଡ଼ିଥିବା ବରଫ ଦୃଶ୍ୟ ବେଶ ମନ ମୋହୁଛି । ସାଧାରଣରେ ଏଭଳି ଦୃଶ୍ୟ ପ୍ରକୃତିପ୍ରେମୀଙ୍କୁ ଏଠାକୁ ଟାଣି ଆଣୁଛି । ବରଫ ବର୍ଷା ମଜାକୁ ଅନୁଭବ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର