ଶିମଳା: ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଲହରି ସହ ତୁଷାରପାତ ଜାରି ରହିଛି। ୩ଟି ଜାତୀୟ ରାଜପଥ ବରଫରେ ଆଚ୍ଛାଦିତ ହେବା ସହ ୧୭୪ଟି ସଡ଼କ ବନ୍ଦ ହୋଇଯାଇଛି। ୬୮୦ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଠପ୍ ହୋଇଯାଇଛି। ୩୦୦ ବସ୍ ସମେତ ୧୦୦୦ ଯାନବାହନ ରାସ୍ତାରେ ଅଟକି ରହିଛି। ତୁଷାରପାତ ପରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଟଳ ଟନେଲ ନିକଟରେ ତୁଷାରପାତ ଯୋଗୁଁ ୪୦୦୦ ପର୍ଯ୍ୟଟକ ଫସି ରହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ପର୍ଯ୍ୟନ୍ତ ବିଳାସପୁର, ଉନା, ହମିରପୁର ଓ ମଣ୍ଡିରେ ପ୍ରବଳ ଥଣ୍ଡା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ମାଇନସ୍ ୧୦.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।  

Advertisment

ହିମାଚଳ ପ୍ରଦେଶର ୫ଟି ଜିଲ୍ଲାରେ ସୋମବାରଠାରୁ ଋତୁର ଦ୍ୱିତୀୟ ତୁଷାରପାତ ଆରମ୍ଭ ହୋଇଛି। ରୋହତାଙ୍ଗରେ ସର୍ବାଧିକ ୩୦ ସେଣ୍ଟିମିଟର ତୁଷାରପାତ ହୋଇଛି। ମନାଲି, କୁଫରୀ, କେଲାଙ୍ଗ, ଡାଲହାଉସି ଓ ରାଜ୍ୟ ରାଜଧାନୀ ଶିମଳାରେ ୧୦ରୁ ୧୫ ସେଣ୍ଟିମିଟର ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ଉପର ଶିମଲା ଓ କିନ୍ନୌର ଜିଲ୍ଲା ରାଜଧାନୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ମନାଲି-ରୋହତାଙ୍ଗ ଜାତୀୟ ରାଜପଥ ଅନେକ ସ୍ଥାନରେ ବନ୍ଦ ରହିଛି। ଶିମଲା-ନାରକଣ୍ଡା ଜାତୀୟ ରାଜପଥ, ଠିୟୋଗ-ରୋହଡ଼ୁ ଜାତୀୟ ରାଜପଥ ଓ ଥିୟୋଗ-ଚୌପାଲ ଜାତୀୟ ରାଜପଥ ସମେତ ୧୭୪ରୁ ଅଧିକ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ତୁଷାରପାତ ଯୋଗୁଁ ମନାଲି ସମେତ ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ବସ୍ ଓ ୧୦୦୦ରୁ ଅଧିକ ଛୋଟ ଗାଡ଼ି ଅଟକି ରହିଛି। ତୁଷାରପାତ ଯୋଗୁଁ ୬୮୦ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଚଳ ହୋଇଥିବାରୁ ହଜାର ହଜାର ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।

ତେବେ ଖ୍ରୀଷ୍ଟମାସ ପାଳନ କରିବାକୁ ଆସିଥିବା ପର୍ଯ୍ୟଟକମାନେ ହିମାଚଳରେ ତୁଷାରପାତର ମଜା ନେଇଥିଲେ। ତୁଷାରପାତ ସମୟରେ ଶିମଲାର ଐତିହାସିକ ପର୍ବତରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟ ମଧ୍ୟରେ ତୁଷାରପାତ ଯୋଗୁଁ ଯାତାୟତ ଉପରେ ବିଶେଷ ପ୍ରଭାବ ପଡ଼ିଛି। ରାସ୍ତା ଅବରୋଧ ଯୋଗୁଁ ଦିନତମାମ ଶହ ଶହ ଗ୍ରାମାଞ୍ଚଳ ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି। ଫଳରେ ଗନ୍ତବ୍ୟସ୍ଥଳକୁ ଯାଉଥିବା ଗାଡ଼ିଗୁଡ଼ିକ ରାସ୍ତା ମଝିରେ ଅଟକି ରହିଥିଲା ଏବଂ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଶନିବାର ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର କେନ୍ଦ୍ରୀୟ ଓ ଉଚ୍ଚ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବ। ତୁଷାରପାତ ମଧ୍ୟ ସେଓ ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି, ଯାହା ଉପର ଶିମଲା ଅଞ୍ଚଳରେ ଭଲ ଅମଳ ଆଶା ସୃଷ୍ଟି କରିଛି।