ଦ୍ବିତୀୟ ଲହର ସଂକ୍ରମଣର କରାଳ ରୂପ: ମେ’ ମଧ୍ୟଭାଗରେ ସକ୍ରିୟ ମାମଲା ଅଧକୋଟି ଡେଇଁପାରେ; ଆଇଆଇଟି ବୈଜ୍ଞାନିକ

ନୂଆଦିଲ୍ଲୀ: ଗତ ସପ୍ତାହେ ହେଲା ଦେଶରେ ନୂତନ ସଂକ୍ରମଣ ତିନି ଲକ୍ଷ ଉପରେ ରହିବା ସହ ସୋମବାର ଏହା ସାଢ଼େ ତିନି ଲକ୍ଷ ଡେଇଁଥିଲା। ଏଭଳି ସ୍ଥିତି ଜାରି ରହିଲେ ଆସନ୍ତା ୪ତାରିଖରୁ ୮ ତାରିଖ ଭିତରେ ଦୈନିକ ସଂକ୍ରମଣ ୩.୪ ଲକ୍ଷରୁ ୪.୪ ଲକ୍ଷ ଛୁଇଁବା କିଛି ବିଚିତ୍ର ନୁହେଁ ବୋଲି ଆଇଆଇଟିର ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି। ସେହିପରି ମେ’ ୧୪ରୁ ୧୮ ତାରିଖ ଭିତରେ ଦେଶରେ ସକ୍ରିୟ ମାମଲା ୩୮ ଲକ୍ଷରୁ ୪୮ ଲକ୍ଷ ଯାଏ ହେବା ସହ ମେ’ ମଧ୍ୟଭଗ ବେଳକୁ ଆଉ ୧୦ ଲକ୍ଷ ବଢ଼ିପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏକ ନୂତନ ଗାଣିତିକ ମଡେଲ ‘ସୂତ୍ର'(ସସେପ୍ଟିବଲ୍‌, ଅନ୍‌ଡିଟେକ୍ଟେଡ୍‌, ଟେଷ୍ଟେଡ୍‌ ପଜିଟିଭ୍‌ ଆଣ୍ଡ୍‌ ରିମୁଭ୍‌ଡ ଆପ୍ରୋଚ୍‌) ପ୍ରୟୋଗ କରି କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନେ ଏପରି ଭବିଷ୍ୟବାଣୀ କରିଛନ୍ତି।

ମେ’ ୧୧ରୁ ୧୫ ଭିତରେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩୩ରୁ ୩୫ ଲକ୍ଷ ହେବା ସହ ମେ’ ଶେଷ ଆଡ଼କୁ ସଂକ୍ରମଣ କମିଆସିବ ବୋଲି ସେମାନେ ଗତ ସପ୍ତାହରେ ଭବିଷ୍ୟବାଣୀ କରିଥିଲେ। ସେହିପରି ଏପ୍ରିଲ ୧୫ ସୁଦ୍ଧା ଦେଶରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପୂର୍ବରୁ ସେମାନେ କରିଥିବା ଭବିଷ୍ୟବାଣୀ ଅବଶ୍ୟ ଭୁଲ ପ୍ରମାଣିତ ହୋଇଛି। ତେବେ ଗଣନା ପାଇଁ ଉଦ୍ଦିଷ୍ଟ ଭାରତର ସାମ୍ପ୍ରତିକ ସ୍ଥିତି ଉପାଦାନ ମୂଲ୍ୟର ଧାରାବାହିକ ଭାବେ ଧୀର ଅଗ୍ରଗତି ହେଉଥିବାରୁ ପୂର୍ବର ଭବିଷ୍ୟବାଣୀରେ ଏପରି ଗଡ଼ବଡ଼ ଦେଖାଗଲା ବୋଲି କାନପୁର ଆଇଆଇଟିର କମ୍ପ୍ୟୁଟର ବିଜ୍ଞାନ ବିଭାଗ ପ୍ରଫେସର ମନିନ୍ଦର ଅଗ୍ରଵାଲ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ପୂର୍ବରୁ ପୀଡ଼ିତଙ୍କ ସଂଖ୍ୟାକୁ କେବଳ ଲକ୍ଷଣବିହୀନ ଓ ସଂକ୍ରମିତଙ୍କ ମଧ୍ୟରେ ସୀମିତ ରଖାଯାଇଥିବା ବେଳେ ଏହି ସଦ୍ୟ ଗଣନାରେ ସଂସ୍ପର୍ଶ ଚିହ୍ନଟରେ କିଛି ଲକ୍ଷଣବିହୀନ ରୋଗୀ ମଧ୍ୟ ଠାବ ହେବା ଘଟଣାକୁ ବିଚାରକୁ ନିଆଯାଇଛି।

ଏଥର ଏହି ଭବିଷ୍ୟବାଣୀ ବାହାର କରିବାରେ ୩ଟି ମୁଖ୍ୟ ଉପାଦାନକୁ ଗ୍ରହଣ କରାଯାଇଛି। ପ୍ରଥମଟି ହେଲା ବିଟା ବା ସଂସ୍ପର୍ଶ ହାର ଯେଉଁଥିରେ ଜଣେ ସଂକ୍ରମିତ ବ୍ୟକ୍ତି ଦିନକୁ ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରିପାରୁଛି ତାହା ଜଣାପଡ଼ିବ। ଦ୍ବିତୀୟଟି ହେଲା ପହଞ୍ଚ ଯାହା ଦ୍ବାରା ଲୋକେ ମହାମାରୀର କେଉଁ ସ୍ତର ଯାଏ ପହଞ୍ଚିପାରିଛନ୍ତି, ତାହା ଜଣାପଡ଼ିବ ଏବଂ ତୃତୀୟଟି ହେଲା ଏପସିଲନ୍‌ ବା ଚିହ୍ନଟ ଅନୁପାତ ଯାହା କି ଚିହ୍ନଟ ହୋଇଥିବା ମାମଲା ଓ ଚିହ୍ନଟ ହୋଇପାରିନଥିବା ମାମଲାର ଅନୁପାତକୁ ବୁଝାଏ।

ସମ୍ବନ୍ଧିତ ଖବର