ନୂଆଦିଲ୍ଲୀ: ଏନ୍ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତୀ ରେଦକର କହିଛନ୍ତି, ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସ୍ବାମୀଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରମଣ କରିଥିବା ଅଭିଯୋଗରେ ମଲିକଙ୍କ ବିରୋଧରେ ଓଶିୱାରା ଥାନାରେ ଏତଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି। ମଲିକ ଆଜି ୱାଙ୍ଖଡେଙ୍କ ବିବାହ ସାର୍ଟିଫିକେଟ୍ ଟ୍ବିଟ୍ କରିବାପରେ ଏବଂ ପ୍ରଥମ ପତ୍ନୀ ଶାବନା କୁରେଶିଙ୍କ ସହ ଏକ ଫଟୋ ପୋଷ୍ଟ୍ କରିବାପରେ ରେଦକର ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା କହିଛନ୍ତି। ରେଦକର କହିଛନ୍ତି, ନିକାହନାମା ଠିକ୍। କିନ୍ତୁ ୱାଙ୍ଖଡେ ଆଇନଗତ ଭାବେ ନିଜ ଧର୍ମ କେବେ ପରିବର୍ତ୍ତନ କରିନାହାନ୍ତି। ମଲିକଙ୍କ ଦ୍ବାରା ସେୟାର କରାଯାଇଥିବା ୱାଙ୍ଖଡେଙ୍କ ଜନ୍ମ ସାର୍ଟିଫିକେଟ୍ ମଧ୍ୟ ଭୁଲ୍ ବୋଲି ସେ କହିଛନ୍ତି।
ରେଦକର କହିଛନ୍ତି ଯେହେତୁ ମୋ ଶାଶୁ ଜଣେ ମୁସଲିମ ତେଣୁ ତାଙ୍କ ଖୁସି ପାଇଁ ନିକାହ କରାଯାଇଥିଲା। କିନ୍ତୁ ମଲିକ ଯେଉଁ ଜନ୍ମ ସାର୍ଟିଫିକେଟ୍ ପୋଷ୍ଟ କରିଛନ୍ତି ତାହା ଭୁଲ୍। ଅନ୍ୟପକ୍ଷେ ୱାଙ୍ଖଡେଙ୍କ ବାପା କହିଛନ୍ତି, ମଲିକଙ୍କ ଜ୍ବାଇଁଙ୍କୁ ୱାଙ୍ଖଡେ ଡ୍ରଗ୍ସ ମାମଲାରେ ଗିରଫ କରିଥିବାରୁ ମଲିକ ତାଙ୍କ ପୁଅକୁ ଟାର୍ଗେଟ୍ କରିଛନ୍ତି। ମଲିକ ଯଦି ଲଗାତାର ଭାବେ ତାଙ୍କ ପରିବାରକୁ ଏଭଳି ଟାର୍ଗେଟ୍ କରନ୍ତି ତେବେ ସେ କୋର୍ଟକୁ ଯିବେ ବୋଲି କହିଛନ୍ତି। ୱାଙ୍ଖଡେଙ୍କ ବାପା କହିଛନ୍ତି, ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ନୱାବ ମଲିକ ଜଣେ ପ୍ରଭାବୀ ବ୍ୟକ୍ତି ଏବଂ ସେ ରାବଣ ପରି। ତାଙ୍କର ୧୦ଟି ହାତ, ୧୦ଟି ପାଟି ଏବଂ ଟଙ୍କା ପଇସା ସବୁ ଅଛି। ସେ ଯାହା ଚାହିବେ କରିପାରିବେ। କିନ୍ତୁ ମୁଁ ଜଣେ ଦଳିତ । ତେଣୁ ମୋ ପୁଅ ମୁସଲିମ୍ କିଭଳି ହେଲା ବୋଲି ସେ ପଚାରିଛନ୍ତି।