ତା’ହେଲେ ଅର୍ଥ ତାଙ୍କୁ କିଣି ନେଲା: ସୁସ୍ମିତା ସେନ୍ଙ୍କୁ ସମାଲୋଚନା କରି କହିଲେ ତସ୍ଲିମା ନସ୍ରିନ୍
ନୂଆଦିଲ୍ଲୀ: ସୁସ୍ମିତା ସେନ୍-ଲଳିତ ମୋଦୀଙ୍କ ସମ୍ପର୍କ କଥା ସମଗ୍ର ଦେଶରେ ଆଲୋଚନା ହେଉଥିବା ବେଳେ ଶନିବାର ରାତିରେ ବାଂଲାଦେଶୀ ଲେଖିକା ତସ୍ଲିମା ନସ୍ରିନ୍ ତାଙ୍କୁ ସମାଲୋଚନା କରି କହିଛନ୍ତି, ତା’ହେଲେ ଅର୍ଥ ତାଙ୍କୁ କିଣି ନେଲା।
ସୁସ୍ମିତାଙ୍କ ସହ ହୋଇଥିବା ଆକସ୍ମିକ ଦେଖା ଘଟଣାକୁ ସ୍ମରଣ କରି ସାମାଜିକ ଗଣମାଧ୍ୟମରେ ବଙ୍ଗଳା ଭାଷାରେ ତସ୍ଲିମା ଗୋଟାଏ ଲମ୍ବା-ଚୌଡ଼ା ପୋଷ୍ଟ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି: ମୁଁ ଥରେ ମାତ୍ର ସୁସ୍ମିତା ସେନ୍ଙ୍କୁ ଭେଟିଥିଲି। କୋଲ୍କାତା ବିମାନ ବନ୍ଦରରେ। ସେ ମତେ କୋଳେଇ ନେଇ କହିଲେ, ମୁଁ ଆପଣଙ୍କୁ ସୁଖପାଏ। ଏଠାରେ ମୋ ଠାରୁ ଅଧିକ ଦୀର୍ଘାଙ୍ଗୀ ଆଉ କେହି ନାହାନ୍ତି। ତେଣୁ, ଆପଣଙ୍କ ପାଖରେ ଠିଆ ହେଲାବେଳେ ଝୁଙ୍କି ପଡ଼ିଲା ଭଳି ଲାଗୁଛି। ତାଙ୍କ ସୌନ୍ଦର୍ଯ୍ୟରୁ ମୁଁ କିନ୍ତୁ, ସହଜରେ ଆଖି ଫେରାଇ ଆଣି ପାରୁ ନ ଥିଲି।
ଅଭିନେତ୍ରୀ ସୁସ୍ମିତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ବ୍ୟକ୍ତ କରି ତସ୍ଲିମା ଆହୁରି ମଧ୍ୟ ଲେଖିଛନ୍ତି: ସୁସ୍ମିତାଙ୍କ ବ୍ୟକ୍ତିତ୍ବ ମତେ ଖୁବ୍ ଭଲ ଲାଗେ। ତରୁଣୀ ବୟସରୁ ୨ଜଣ ଝିଅଙ୍କୁ ପୋଷ୍ୟ କନ୍ୟା କରିଛନ୍ତି। ତାଙ୍କର ନିଷ୍ଠା, ସାହସିକତା, ସଚେତନତା, ଆତ୍ମ-ନିର୍ଭରଶୀଳତା, ଦୃଢ଼ତା ଏବଂ ନୈତିକତାକୁ ପସନ୍ଦ କରେ।

ଏହାପରେ ତସ୍ଲିମା ଲେଖିଛନ୍ତି: କିନ୍ତୁ, କେତେଗୁଡ଼ିଏ ଅପରାଧରେ ଲିପ୍ତଥିବା ଜଣେ ଅତି ଅନାକର୍ଷଣୀୟ ବ୍ୟକ୍ତିଙ୍କ ସହିତ ଏବେ ସୁସ୍ମିତା ସମୟ ଅତିବାହିତ କରୁଛନ୍ତି। ଏହାର କାରଣ କ’ଣ ସେ ବ୍ୟକ୍ତିଜଣକ ବିତ୍ତଶାଳୀ ବୋଲି? ତା’ହେଲ କ’ଣ ତାଙ୍କୁ ଅର୍ଥ ଖରିଦ କରିନେଲା?
ତସ୍ଲିମା ପୁଣି ଲେଖିଛନ୍ତି: ହୁଏ ତ ସୁସ୍ମିତା ସେ ବ୍ୟକ୍ତିଙ୍କୁ ପ୍ରେମ କରୁଥାଇ ପାରନ୍ତି। ସେ ପ୍ରେମ କରୁଥିବେ ବୋଲି ମୋର ମନେହୁଏ ନାହିଁ। ଯେଉଁମାନେ ଅର୍ଥ ମୋହରେ ପଡ଼ନ୍ତି, ସେମାନଙ୍କ ପ୍ରତି ଖୁବ୍ ଚଞ୍ଚଳ ମୋର ସମ୍ମାନବୋଧ ଚାଲିଯାଏ।