କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ କିରେନ ରିଜିଜୁ, ଲେଖକ ସଂଜୟ ଝା, କ୍ରୀଡ଼ାବିତ ସଚିନ ତେନ୍ଦୁଲକର, ୱାକାର ୟୁନିସ, ମହମ୍ମଦ ହଫିଜ, ଯୁବରାଜ ସିଂହ, ମହମ୍ମଦ କୈଫ, ମିତାଲି ରାଜ ଓ ମାର୍ଟିନା ନାଭ୍ରାତିଲୋଭା, ଚଳଚ୍ଚିତ୍ର ତାରକା କାଜଲ, ଦୀୟା ମିର୍ଜା, ଅନୀଲ କପୁର, ଅଭିଷେକ ବଚ୍ଚନ ଓ ରିତେଶ ଦେଶମୁଖଙ୍କ ପରି ଅଗଣିତ ନାମୀଦାମୀ ପ୍ରଶଂସକ ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ୍ ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର୍ ସୋଏବ ମଲ୍ଲିକ ଓ ସାନିଆଙ୍କ ଦାମ୍ପତ୍ୟ ଜୀବନକୁ ନେଇ ବେଳବେଳେ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୁଏ।
ଏପରିକି ସେମାନଙ୍କର ବିବାହ-ବିଚ୍ଛେଦ ଅନିବାର୍ଯ୍ୟ ବୋଲି ମଧ୍ୟ କିଛିଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ମେଲବୋର୍ଣ୍ଣରେ ସାନିଆଙ୍କ ଭାବପୂର୍ଣ୍ଣ ବିଦାୟୀ ମ୍ୟାଚ୍ ପରେ ସୋଏବ କରିଥିବା ଟ୍ବିଟ୍ଟି ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି। @realshoaibmalik ଲେଖିଛନ୍ତି:- You are the much needed hope for all the women in sports. Super proud of you for all you have achieved in your career. You’re an inspiration for many, keep going strong. Many congratulations on an unbelievable career...। ଉତ୍ତରରେ @MirzaSania କେବଳ ଏକ ଇମୋଜି ସହ Thank you ଲେଖି କାମ ସାରିଦେବା କଥାକୁ ନେଇ ଆରମ୍ଭ ହୋଇଯାଇଛି ମତମନ୍ତବ୍ୟ। ସେମାନଙ୍କ ଶୁଖିଲା ସଂକ୍ଷିପ୍ତ ଔପଚାରିକ ବାର୍ତ୍ତାଳାପରୁ ଜଣାପଡ଼ୁଛି, ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲୁନାହିଁ। ଏହି ମର୍ମରେ କିଛି ଲୋକ ମନ୍ତବ୍ୟ ଦେଇଛନ୍ତି। ସୋଏବ ସାନିଆଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଥିବା ବେଳେ ସାନିଆ କେବଳ ଧନ୍ୟବାଦ କହି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବା କିଛି ଲୋକଙ୍କୁ ବ୍ୟଥିତ କରିଛି। ‘ଦୁଇଦିନ ପରେ ଯାଇ ଆମ ଭାଇଙ୍କୁ ଭାଉଜ ତମେ ଉତ୍ତରଟେ ଦେଲ ଯେ ସେଇଟା ପୁଣି ଦୁଇଟି ଶବ୍ଦରେ ସାରିଦେଲ’ ବୋଲି ଜଣେ ମନ ଖରାପ କରି ଲେଖିଛନ୍ତି। ସାନିଆଙ୍କ ଶେଷ ବଡ଼ ମ୍ୟାଚ୍ରେ ସୋଏବ ଉପସ୍ଥିତ ରହିବା ଉଚିତ ନ ଥିଲା କି ବୋଲି ପାଲଟା ପ୍ରଶ୍ନ ହୋଇଛି। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟୀକାଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି ମଧ୍ୟ ଅନ୍ୟପକ୍ଷରେ କିଛି ସଚେତନ ଲୋକ ସତର୍କ କରାଇଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ସଟ୍ଡାଉନ୍ ସମୟରେ ଅନ୍ୟ ତାରକା ଦମ୍ପତିଙ୍କ ପରି ସୋଏବ ଓ ସାନିଆ ମଧ୍ୟ ଏକାଧିକ ଲାଇଭ୍ ଷ୍ଟ୍ରିମିଂ ଶୋ’ କରିଥିଲେ। ସେଥିରେ ସାନିଆଙ୍କ ମେଳାପିପଣ ବହୁ ପ୍ରଶଂସକଙ୍କୁ ମୁଗ୍ଧ କରିଥିବା ବେଳେ ସୋଏବଙ୍କ ଗମ୍ଭୀର ମୁଦ୍ରା ଜଣେ ଅହଙ୍କାରୀ ଓ ଗର୍ବୀ ବ୍ୟକ୍ତିର ପରିଚୟ ଦେଉଥିଲା। ଲୋକେ କୁହାକୁହି ହେଲେ, ଯଦି ସର୍ବସମକ୍ଷରେ, କୋଟିକୋଟି ଦର୍ଶକଙ୍କ ଆଗରେ ଏମିତି, ଘରେ ସାନିଆଙ୍କ ପ୍ରତି ସୋଏବ କେମିତି ବ୍ୟବହାର କରୁ ନ ଥିବେ! ସେତେବେଳଠୁ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ନେଇ ଆଶଙ୍କା କରାଯାଉଥିଲା।