ଏସ୍‌ସିଓ ଶିଖର ବୈଠକ: ଚୀନ୍‌କୁ ଭାରତର ଝଟ୍‌କା

ଓବିଓଆର୍‌କୁ ପ୍ରତ୍ୟାଖ୍ୟାନ

ବେଜିଂ: ଅନ୍ତର୍ଜାତୀୟ କୂଟନୀତିରେ ଭାରତ ନିଜର ପ୍ରଭାବ ଜାହିର କରିବା ସହ ପୁଣିଥରେ ଚୀନ୍‌ର ଏକଚାଟିଆ କାରବାରକୁ ଝଟ୍‌୍‌କା ଦେଇଛି। ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତ୍ୱ ନେଇ କୌଣସି ସାଲିସ୍‌ କରିବ ନାହିଁ ଏବଂ ଓବିଓଆର୍‌ (ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ) ପ୍ରକଳ୍ପକୁ ବିରୋଧ ଜାରି ରଖିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଚୀନ୍‌ର କିଙ୍ଗଦାଓ ସହରରେ ଆଜି ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍‌ର ସକଳ ପ୍ରୟାସ ସତ୍ତ୍ୱେ ଓବିଓଆର୍‌ ନେଇ ତାଙ୍କର ପୂର୍ବ ନିଷ୍ପତ୍ତିରେ କାଏମ ରହିଛନ୍ତି। ଏସ୍‌ସିଓର ସମସ୍ତ ରାଷ୍ଟ୍ର ଓବିଓଆରକୁ ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ଭାରତ ଏକାକୀ ଏହାକୁ ବିରୋଧ କରି ଚୀନ୍‌ର ବିସ୍ତାରବାଦୀ ନୀତିକୁ ଗ୍ରହଣ କରିବାକୁ ରୋକଠୋକ୍‌ ମନା କରିଦେଇଛି।

ଚୀନ୍‌ ନିଜର ସବୁଠାରୁ ବଡ଼ ପ୍ରକଳ୍ପ ଓ୍ଵାନ୍‌ ବେଲ୍‌ଟ, ଓ୍ଵାନ୍‌ ରୋଡକୁ କାର୍ଯ୍ୟକାରୀ କରିବା ପାଇଁ ଭାରତର ସମର୍ଥନ ହାସଲ କରିବା ନିମନ୍ତେ ସବୁ ପ୍ରୟାସ କରିଥିଲା। ତେବେ ଚୀନ୍‌ର କୌଣସି ଚାଲ୍‌ରେ ଭାରତର ମତ ବଦଳି ନାହିଁ। ଆଜି ଏସ୍‌୍‌ସିଓ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ ଏହି ପ୍ରକଳ୍ପକୁ ଭାରତ କଦାପି ସମର୍ଥନ କରିବ ନାହିଁ। ଚୀନ୍‌ର ଏହି ଯୋଜନା ପାକିସ୍ତାନ ଅଧିକୃତ କଶ୍ମୀର ଦେଇ ଯାଉଥିବାରୁ ଭାରତ ଏହାର କଡ଼ା ବିରୋଧ କରୁଛି । ସମଗ୍ର କଶ୍ମୀରକୁ ଭାରତ ନିଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିଥିବାରୁ ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ସମର୍ଥନ କରିବାରୁ ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯୋଗାଯୋଗ ପ୍ରକଳ୍ପଗୁଡ଼ିକ କୌଣସି ରାଷ୍ଟ୍ରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଇବା ଭଳି ହେବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି। ଏସ୍‌୍‌ସିଓ ଶିଖର ସମ୍ମିଳନୀରେ ରୁଷ୍‌, ପାକିସ୍ତାନ, କଜାଖସ୍ତାନ, କିର୍ଗିସ୍ତାନ, ଉଜ୍‌୍‌ବେକିସ୍ତାନ ଏବଂ ତାଜିକସ୍ତାନ ଚୀନ୍‌ର ଓବିଓଆର୍‌ ପ୍ରକଳ୍ପକୁ ସମର୍ଥନ କରି ଏଥିପାଇଁ ସମସ୍ତ ସମର୍ଥନ ଯୋଗାଇଦେବେ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଓବିଓଆର୍‌ ପ୍ରକଳ୍ପକୁ ଭାରତ ଦୃଢ଼ ବିରୋଧ କରିଥିବାରୁ ଚୀନ୍‌ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଡୋକଲାମ ଭଳି ସମସ୍ୟା ସୃଷ୍ଟି କରିଥିଲା। ତେବେ ଭାରତର ସୁଚିନ୍ତିତ ରଣନୀତି ଏବଂ ସଫଳ ଅନ୍ତର୍ଜାତୀୟ କୂଟନୀତି ଯୋଗୁଁ ଚୀନ୍‌ ଡୋକଲାମରୁ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର