ମୋଦିଙ୍କ ସୋସିଆଲ ମିଡିଆ ଲୋକପ୍ରିୟତା ଅତୁଟ

ନୂଆଦିଲ୍ଲୀ : ୨୦୧୪ ସାଧାରଣ ନିର୍ବାଚନ ବେଳେ ପ୍ରାୟ ସବୁ ରାଜନୈତିକ ଦଳ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଆରମ୍ଭ କରିଥିଲେ। ଦେଶର ଯୁବକମାନଙ୍କୁ ଲକ୍ଷ୍ୟରେ ରଖି ରାଜନୈତିକ ଦଳଗୁଡ଼ିକ ଏହି ଅସ୍ତ୍ରର ବ୍ୟବହାର କରିଥିଲେ। ଗାର୍ଡିଆନ୍‌ର ଏକ ରିପୋର୍ଟ ଅନୁଯାୟୀ ଭାରତର ୬୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍‌। ୫୦ ପ୍ରତିଶତ ଲୋକଙ୍କ ବୟସ ୨୫ ବର୍ଷରୁ କମ୍‌। ଏହି ଦୃଷ୍ଟିରୁ ୨୦୧୪ ନିର୍ବାଚନ ବେଳେ ସୋସିଆଲ ମିଡିଆ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।

୨୦୧୪ ନିର୍ବାଚନ ବେଳେ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସୋସିଆଲ ମିଡିଆ ଦେଶର ପ୍ରଥମ ସୋସିଆଲ ମିଡିଆ ପ୍ରଧାନମନ୍ତ୍ରୀର ମୁକୁଟ ପିନ୍ଧାଇଥିଲା। ସେବେଠାରୁ ମୋଦିଙ୍କ ଲୋକପ୍ରିୟତା ଟ୍ଵିଟର, ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ବଢ଼ିବାରେ ଲାଗିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରେ ନରେନ୍ଦ୍ର ମୋଦି ବିଶ୍ୱର ତୃତୀୟ ରାଜନେତା ଯାହାଙ୍କୁ ସୋସିଆଲ ମିଡିଆରେ ବହୁସଂଖ୍ୟାରେ ଲୋକମାନେ ଫଲୋ (ପଶ୍ଚାତଧାବନ) କରୁଛନ୍ତି। ଟ୍ଵିଟରରେ ଏବେ ମୋଦିଙ୍କୁ ୪୨ ନିୟୁତ, ଫେସ୍‌ବୁକ୍‌ରେ ୪୩ ନିୟୁତ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ୧୩ ନିୟୁତ ଫଲୋଅର ଅଛନ୍ତି। ଦେଶର ବିକାଶଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରସଙ୍ଗରେ ସୋସିଆଲ ମିଡିଆରେ ମୋଦି କ’ଣ ପୋଷ୍ଟ କରୁଛନ୍ତି ତାହାକୁ ତାଙ୍କର ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।

ସମ୍ବନ୍ଧିତ ଖବର