ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ଯେଉଁ ସୋସିଆଲ ମିଡିଆ ହବ୍ ଗଠନ ନିମନ୍ତେ ନିଷ୍ପତ୍ତି ନେଇଥିଲେ ସେଥିରୁ ଏବେ ଓହରି ଯାଇଛନ୍ତି। ଏ ବାବଦରେ ସୁପ୍ରିମ୍୍ କୋର୍ଟ ଜୁଲାଇ ୧୩ ତାରିଖ ଶୁଣାଣିରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ସରକାର ତଦାରଖ ପ୍ରକ୍ରିୟାକୁ ସଂପୂର୍ଣ୍ଣ ବାତିଲ କରିଛନ୍ତି। ସରକାର ସୋସିଆଲ ମିଡିଆ ଉପରେ ନଜର ରଖିବେ ନାହିଁ ଏବଂ ଏ ନେଇ ପୂର୍ବ ସ୍ଥିତି କାଏମ ରହିବ ବୋଲି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଛନ୍ତି।
କେନ୍ଦ୍ର ସରକାର ସୋସିଆଲ ମିଡିଆର ଦୁରୁପଯୋଗକୁ ରୋକିବା ପାଇଁ ଏହା ଉପରେ ନଜର ରଖିବାକୁ ହବ୍ ଗଠନ ନିମନ୍ତେ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତିକୁ ଏବେ ସରକାର ପ୍ରତ୍ୟାହାର କରିନେଇଛନ୍ତି ବୋଲି ଅଦାଲତଙ୍କୁ ଜଣାଇଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମ୍ କୋର୍ଟରେ ନିକଟରେ ମାମଲା ଦାଖଲ ହୋଇଥିଲା ଏବଂ କୋର୍ଟ ଏହାକୁ ବିଚାରପାଇଁ ଗ୍ରହଣ କରି କେନ୍ଦ୍ର ସରକାର ଲୋକଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଚାହୁଛନ୍ତି କି ବୋଲି ଜୁଲାଇ ୧୩ ପ୍ରଥମ ଶୁଣାଣି ବେଳେ ପ୍ରଶ୍ନ କରିଥିଲେ। ଭିଡ଼ ହିଂସାକୁ ନିୟନ୍ତ୍ରଣ କରିବା ଏବଂ ମିଛ ଖବରରେ ଲଗାମ ଦେବା ଉଦ୍ଦେଶ୍ୟରେ ସରକାର ସୋସିଆଲ ମିଡିଆ ହବ୍୍ ଗଠନ ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା କହିଥିଲେ। ତେବେ ବିଭିନ୍ନ ମହଲରୁ ଜୋର୍ଦାର ବିରୋଧ ଏବଂ ସୁପ୍ରିମ୍ କୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ ସରକାର ଏହି ଯୋଜନାକୁ ବାତିଲ୍ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏ ଏମ୍ ଖାନ୍ଓ୍ଵିଲକରଙ୍କ ଖଣ୍ଡପୀଠ ସମ୍ମୁଖରେ ସରକାର ଆଜି ବୟାନ ରଖିବା ପରେ ଏହି ମାମଲା ଏବେ ସଂପୂର୍ଣ୍ଣ ଟଳି ଯାଇଛି। ଟ୍ଵିଟର, ଫେସ୍୍ବୁକ, ଇନ୍୍ଷ୍ଟାଗ୍ରାମ ଏବଂ ଇମେଲ ଡାଟାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଲେ ବ୍ୟକ୍ତିର ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ ବୋଲି ଦର୍ଶାଇ ଜଣେ ତୃଣମୂଳ ବିଧାୟକ ସୁପ୍ରିମ୍ କୋର୍ଟରେ ଆବେଦନ ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/The_project_had_envisaged_employment_of_media_persons_on_contractual_basis_to_be_the_eyes_and_ears__1533285895.jpg)