କ୍ଷଣକୋପୀ ରାଜନେତା ଜୟନାରାୟଣଙ୍କୁ ନେଇ ହୋଇଥିବା ନୂଆ ବିବାଦକୁ ଟିକେ ତଳେଇକି ଦେଖିଲେ ଅନେକ ଅଡୁଆ ସୃଷ୍ଟି ହୋଇଛି। ଯେଉଁ କଥାଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଅଧିକ ଆଲୋଚନା ହେଉଛି, ବିରୋଧୀ ଦଳ ନେତାଙ୍କ ପକ୍ଷରେ ଏହା ଏକମାତ୍ର ବାଟ ନଥିଲା, ଜଣେ ମହିଳା ଆଇଆଇସିଙ୍କ ସହ ଏପରି ଗଣ୍ଡଗୋଳକୁ ସେ ଏଡ଼ାଇଯିବା ଉଚିତ ଥିଲା। ଯେଉଁ ପାଖଲୋକ ବା ସମର୍ଥକମାନେ ତାଙ୍କ ନେତାଙ୍କୁ ଏପରି କ୍ରୋଧୀ ମୁଦ୍ରାକୁ ଆଣିବାରେ ସାହାଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚନା ହେଉଛି।

Advertisment

ସେହିପରି, ବିରୋଧୀ ଦଳ ନେତାଙ୍କ ପଦମର୍ଯ୍ୟାଦା ଦୃଷ୍ଟିରୁ ଆଇଆଇସି ମଧ୍ୟ ଅଲଗା ବାଟରେ ଘଟଣାକୁ ଟାଣିପାରିଥା’ନ୍ତେ କି, ଜୟନାରାୟଣଙ୍କୁ ବିଜେଡି ଗିରଫ କରିବାର ରିସ୍କ ନେବ ତ.. ଏସବୁ ପ୍ରଶ୍ନ ମଧ୍ୟ ଉଠିବ? ତେବେ ସାମାଜିକ ଗଣମାଧ୍ୟମରେ ଯେଉଁ କଥାଟି ଏବେ ବେଶି ଚିନ୍ତାର କାରଣ ହେଲାଣି, ତାହା ହେଲା, ଏହି ଘଟଣା ଆଉ ଯାହା କରୁ ନ କରୁ, ଏକାମାଡ଼ରେ ନବ ଦାସ ପ୍ରସଙ୍ଗଟିକୁ କାଗଜର ଭିତର ପୃଷ୍ଠାକୁ ନେଇଗଲା। ହେଲେ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ନବ ଦାସ ପ୍ରସଙ୍ଗଠାରୁ ମଧ୍ୟ ଏହି ଘଟଣାଟି ପୁଲିସର ମନୋବଳକୁ ଅଧିକ ଦୋହଲାଇବ। ପୁଲିସକୁ ଆଜିକାଲି ସାଧାରଣରେ ମାଡ଼ ଘଟଣା ବଢ଼ୁଥିବା ବେଳେ ରାଜ୍ୟର ଜଣେ ପ୍ରମୁଖ ରାଜନେତା ପୁଣି ସେପରି କିଛି ପ୍ରକରଣରେ ରହିବା କଥାକୁ ସ୍ବାଭାବିକ ଭାବେ ଗ୍ରହଣ କରିବାକୁ ନିଟିଜେନ୍‌ମାନେ ରାଜି ନୁହନ୍ତି।