ଅଯୋଧ୍ୟା: ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାର ବହୁ ପ୍ରତୀକ୍ଷିତ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ୟୁପି ପ୍ରଶାସନ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଅଯୋଧ୍ୟାରେ ଗତ କିଛି ହେବ ଧାରା ୧୪୪ ଜାରି ହୋଇଥିବାବେଳେ ଉତ୍ତରପ୍ରଦେଶ ସରକାର ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ମଧ୍ୟ ଲଗାଇଛନ୍ତି। କୌଣସି ବ୍ୟକ୍ତି ଆସନ୍ତା ୨ ମାସ ପର୍ଯ୍ୟନ୍ତ ସୋସିଆଲ ମିଡିଆ ମଞ୍ଚ ହ୍ବାଟ୍ସଆପ୍, ଟ୍ବିଟର , ଟେଲିଗ୍ରାମ୍ ଏବଂ ଇନଷ୍ଟାଗ୍ରାମ୍ରେ ଭଗବାନଙ୍କୁ ନେଇ କୌଣସି ପ୍ରକାର ଅପମାନଜନକ ମନ୍ତବ୍ୟ ଦେଇପାରିବେନି। ଇଲେକଟ୍ରୋନିକ୍ ଗଣମାଧ୍ୟମମାନେ ମଧ୍ୟ ଜିଲ୍ଲାରେ ଏସଂକ୍ରାନ୍ତରେ କୌଣସି ଆଲୋଚନା କରିପାରିବେନି ବୋଲି ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି । ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝାଙ୍କ ଦ୍ବାରା ଗତ ଅକ୍ଟୋବର ୩୧ରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆସନ୍ତା ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଜିଲ୍ଲାରେ ସିଆରପିସିର ଧାରା ୧୪୪ ଜାରି ହୋଇଥିବାରୁ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅଧୀନରେ ମାମଲା ରୁଜୁ ହେବ। ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଜିଲ୍ଲାରେ ମଧ୍ୟ କୌଣସି ଭଗବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇପାରିବନି। ରାୟ ଆସିବା ଦିନ କୌଣସି ବିଜୟ ଶୋଭାଯାତ୍ରା ହେବନି। ବିନା ଅନୁମତିରେ କୌଣସି ଇଲେକଟ୍ରୋନିକ୍ ମିଡିଆ ଆଲୋଚନା କରିପାରିବେନି। କୌଣସି ଧାର୍ମିକ କିମ୍ବା ସର୍ବସାଧାରଣ ସ୍ଥଳରେ ନିଶାଦ୍ରବ୍ୟ ବିକ୍ରି ହୋଇପାରିବନି। ସେହିପରି ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାରୀ ଅଧିକାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟକ୍ତି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ର ମଧ୍ୟ ପାଖରେ ରଖିପାରିବେନି। କୌଣସି କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରୢାଲି ଏବଂ ରାମଜନ୍ମ ଭୂମିରେ ୱାଲ୍ ପେଣ୍ଟିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କୌଣସି ବ୍ୟକ୍ତି ପାଖରେ ଏସିଡ୍ କିମ୍ବା ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ରଖିପାରିବେନି।
ଦରକାର ପଡ଼ିଲେ ଏନ୍ଏସଏ ଲାଗୁ ହେବ: ୟୁପି ପୁଲିସ ମୁଖ୍ୟ
ଆଯୋଧ୍ୟା ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶରେ ଏବେ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ ହୋଇଛି। ଉତ୍ତରପ୍ରଦେଶ ପୁଲିସ ମୁଖ୍ୟ ଓପି ସିଂହ କହିଛନ୍ତି, ରାଜ୍ୟ ପୁଲିସ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କୌଣସି ବ୍ୟକ୍ତି ହିଂସା ଘଟାଇବାକୁ ଚେଷ୍ଟା କରନ୍ତି ଏବଂ ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରନ୍ତି ତେବେ ଦରକାର ପଡ଼ିଲେ ଏନ୍ଏସଏ ( ଜାତୀୟ ସୁରକ୍ଷା ଆଇନ) ଲାଗୁ ହେବ ବୋଲି ଓପି ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Ajodhya.jpg)