ସୋସିଆଲ ମିଡିଆର ଅପବ୍ୟବହାର, ନୀତି ନିର୍ଦ୍ଧାରଣ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

୩ ସପ୍ତାହ ମଧ୍ୟ‌ରେ ସତ୍ୟପାଠ ଦାଖଲ ପାଇଁ କହିଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ସୋ‌ସିଆଲ ମିଡିଆର ଅପବ୍ୟବହାର ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆର ଅପବ୍ୟବହାର ଏବେ ଖୁବ୍‌ ବିପଦପୂର୍ଣ୍ଣ ହୋଇପଡ଼ିଛି। ତେଣୁ ସୋସିଆଲ ମିଡିଆର ବ୍ୟବହାର ଦିଗରେ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନ୍‌ ଗୋପନୀୟତା, ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ଜଣେ ବ୍ୟକ୍ତିଙ୍କ ସମ୍ମାନ ‌କ୍ଷେତ୍ରରେ ଉଚିତ୍‌ ସନ୍ତୁଳନ ରକ୍ଷା କରିବା ଦିଗରେ ଏକ ବୈଧାନିକ ନୀତି ନିର୍ଦ୍ଧାରଣ କରି ସରକାର ୩ ସପ୍ତାହ ମଧ୍ୟରେ ଏ ବାବଦ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଧାରକୁ ସୋସିଆଲ ମିଡିଆ ଆକାଉଣ୍ଟ୍‌ ସହ ସଂଯୋଗ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଆଜି ଖଣ୍ଡପୀଠ ଏହା କହିଛନ୍ତି। ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ନେତୃତ୍ବ‌ରେ ଗଠିତ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି ସମୟରେ ‌କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଗୋପନୀୟତା, ସାର୍ବଭୌମତ୍ବ, ଅପରାଧ ନିରାକରଣ ଏବଂ ନୀତି ସଂକ୍ରାନ୍ତ ମାମଲା ସଂକ୍ରାନ୍ତ ନିଷ୍ପତ୍ତି ସରକାର ହିଁ ନେବେ। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ସ୍ବାଗତ ଜଣାଇଥିବା ବେଳେ କେନ୍ଦ୍ର ପକ୍ଷରୁ କୁହାଯାଇଛି ‌ଯେ ଆଇଟି ନିୟମ ଅନୁଯାୟୀ ସୋ‌ସିଆଲ ମିଡିଆ ମଞ୍ଚ ଏହି ସୂଚନା‌ ସେୟାର କରିବାପାଇଁ ବଦ୍ଧପରିକର। ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା‌ ଅକ୍ଟୋବର ୨୨ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର