ଦିଲ୍ଲୀରେ ସ୍ବେଚ୍ଛାସେବୀ ସଂଗଠନର ଅଭିଯୋଗ : ବୈଜୟନ୍ତ ଓ ଜାଗି ପଣ୍ଡାଙ୍କ ମାଲିକାନାରେ ଥିବା କମ୍ପାନିରେ ବ୍ୟାପକ ଆର୍ଥିକ ହେରଫେର

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା କମ୍ପାନିଗୁଡ଼ିକରେ ବ୍ୟାପକ ଆର୍ଥିକ ହେରଫେର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀର  ଆଇନଜୀବୀ ଅତୁଲ ଗୁଲେରିଆ । ସୋମବାର ନୂଆଦିଲ୍ଲୀର ପ୍ରେସ କ୍ଲବ ଅଫ୍ ଇଣ୍ଡିଆରେ ସ୍ବେଚ୍ଛାସେବୀ ସଂଗଠନ ‘ପାଥ୍’ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗୁଲେରିଆ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମରେ ଏଭଳି  ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା କମ୍ପାନିଗୁଡ଼ିକରେ ବିପୁଳ ପରିମାଣର ଅର୍ଥ ହେରଫେର କରାଯାଉଛି।

ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜାଗି ଓ ବୈଜୟନ୍ତ ପଣ୍ଡା  ଆୟକର ଚୋରି ଓ ସିଏସଆର ପାଣ୍ଠି ହେରଫେରରେ ସାମିଲ ଅଛନ୍ତି । ବାହାମାସ ଦ୍ୱୀପରେ ଥିବା ତିନୋଟି  ଜାଲି କମ୍ପାନି ଜରିଆରେ ଏହି ଆର୍ଥିକ ହେରଫେର ହେଉଥିବା କହିଛି ସଂଗଠନ । ‘ପାଥ୍’ର ଅଭିଯୋଗ ଅନୁସାରେ ବାହାମାସରୁ ଯେଉଁ ତିନୋଟି କମ୍ପାନିରୁ ଭାରତ ଟଙ୍କା ଆସୁଥିଲା ସେହି କମ୍ପାନିଗୁଡିକୁ ବୈଜୟନ୍ତ ଓ ଜାଗି ପଣ୍ଡାଙ୍କର ଦୁଇଟି କମ୍ପାନି (ପଣ୍ଡା ଇନଭେଷ୍ଟମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇ ଲାଇଟ୍ ପ୍ରାଇଭେଟ୍ ଲିମିଟେଡ୍) ନିୟନ୍ତ୍ରଣ କରନ୍ତି । ବାହାମାସର ଏହି କମ୍ପାନିରୁ ଆସୁଥିବା ଟଙ୍କା ମଂଜୁଳା ଦେବୀ ଟ୍ରଷ୍ଟକୁ ଯାଇଥାଏ ବୋଲି ସଂଗଠନ ଅଭିଯୋଗ କରିଛି ।

ଏ ନେଇ ଫେବ୍ରୁଆରି ମାସରେ ଦିଲ୍ଲୀ ହାଇକୋର୍ଟରେ ‘ପାଥ୍’ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟ ଏହା ମନି ଲଣ୍ଡ୍ରିଂ ମାମଲା ଭଳି ମନେ ହେଉଥିବା କହିବା ସହିତ ତଦନ୍ତ ଆଦେଶ ଦେଇଥିଲେ । ତେବେ ଫେବ୍ରୁଆରି ମାସରୁ ତଦନ୍ତ ଆଦେଶ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇନାହିଁ । ତେଣୁ ତଦନ୍ତକୁ ତ୍ୱାରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି ।

ସମ୍ବନ୍ଧିତ ଖବର