ରାଜୀବ ହତ୍ୟା ଭଳି କାଣ୍ଡ ପାଇଁ ଷଡ଼ଯନ୍ତ୍ର ?

ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ ମାମଲା18

ନୂଆଦିଲ୍ଲୀ: ନିଷିଦ୍ଧ ମାଓବାଦୀ ସଂଗଠନ ସହିତ ସଂପର୍କରେ ଥିବା ୫ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ବଳିଷ୍ଠ ଓ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଏହି ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଆଜି ମହାରାଷ୍ଟ୍ର ପୁଲିସ ପକ୍ଷରୁ କୁହାଯାଇଛି। ଏଡିଜି ପରମ ବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାଓବାଦୀ ସଂଗଠନ ସହିତ ଗିରଫ ୫ କାର୍ଯ୍ୟକର୍ତ୍ତା ସଂପୃକ୍ତ ଥିଲେ। ମାଓ ସଂଗଠନର ବିସ୍ତାର, ରଣନୀତି ଏବଂ ପାଣ୍ଠି ସଂଗ୍ରହରେ ମଧ୍ୟ ସେମାନଙ୍କ ଭୂମିକା ନେଇ ପର୍ଯ୍ୟାୟକ୍ରମେ ପ୍ରମାଣ ହସ୍ତଗତ ହୋଇଛି ବୋଲି ଏଡିଜି ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ମାଓବାଦୀଙ୍କ ଯୋଜନା ସଂପର୍କିତ ଏକ ଚିଠି ପୁଲିସକୁ ମିଳିଥିବାରୁ ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଭଳି ହତ୍ୟା କରାଯାଇଥିଲା, ସେଭଳି କାଣ୍ଡ ପୁଣି ଘଟାଇବା ପାଇଁ ଏହି ଚିଠିରେ ଉଲ୍ଲେଖ ରହିଥିଲା। ମହାରାଷ୍ଟ୍ର ପୁଲିସ କହିଛି ଯେ ପ୍ରମାଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ କେତେକ ଫରେନ୍‌୍‌ସିକ ଟେଷ୍ଟ ମଧ୍ୟ କରାଯାଇଛି। ଏ ବାବଦ ସମସ୍ତ ପ୍ରମାଣ ଅଦାଲତରେ ଉପସ୍ଥାପନ କରାଯିବ ବୋଲି କୁହାଯାଇଛି। ଗିରଫ କାର୍ଯ୍ୟକର୍ତ୍ତାଙ୍କଠାରୁ ଜବତ ହୋଇଥିବା ହାର୍ଡ ଡିସ୍କ୍‌ ମଧ୍ୟ ଏ ବାବଦରେ ଏକ ବଳିଷ୍ଠ ପ୍ରମାଣ ବୋଲି ପୁଲିସ କହିଛି। ମହାରାଷ୍ଟ୍ରରେ ବଡ଼ ଧରଣର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ସହ ଦେଶବ୍ୟାପୀ ଏହାକୁ ନେଇ ଆନ୍ଦୋଳନ ପାଇଁ ମସୁଧା ହୋଇଥିଲା। ସହରାଞ୍ଚଳରେ ଥିବା ମାଓବାଦୀଙ୍କ ଗୁପ୍ତ ନେଟ୍‌ଓ୍ଵର୍କ ଏଥିରେ ସକ୍ରିୟ ଭୂମିକା ନିର୍ବାହ କରୁଥିଲା। ଏ ବାବଦ ତଥ୍ୟର ସବିଶେଷ ଯାଞ୍ଚ ପରେ ସେମାନଙ୍କ ୭ଟି ଠିକଣାରେ ଚଢ଼ଉ ହୋଇଥିଲା ଏବଂ ୫ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ଏଡିଜି କହିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରିରେ ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ଘଟଣାରେ ମହାରାଷ୍ଟ୍ର ପୁଲିସ କେତେକ ଚିଠି ଜବତ କରିଥିଲା। ଏହାକୁ ଆଧାର କରି ନିକଟରେ ପୁଲିସ ୫ଟି ରାଜ୍ୟରେ ଚଢ଼ଉ କରି ୫ ଜଣ ବାମପନ୍ଥୀ ସାମାଜିକ କର୍ମୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବରବରା ରାଓ, ସୁଧା ଭରଦ୍ୱାଜ, ଗୌତମ ନବଲଖା, ବେର୍‌ନୋନ୍‌ ଗନ୍‌ସାଲ୍‌ଭେସ୍‌ ଏବଂ ଅରୁଣ ଫରେରା । ନକ୍ସଲଙ୍କ ସହିତ ସେମାନଙ୍କର ପ୍ରତ୍ୟକ୍ଷ ସଂପର୍କ ରହିଛି ବୋଲି ଦାବି କରି ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ସେମାନଙ୍କୁ ଗରିଫ କରି ଜେଲ୍‌ ପଠାଇବା ପରିବର୍ତ୍ତେ ଗୃହବନ୍ଦୀ ରଖିବା ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ। ନିଷିଦ୍ଧ ହୋଇଥିବା ସିପିଆଇ ମାଓବାଦୀ ସଂଗଠନ ପାଇଁ ଗିରଫ ସାମାଜିକ କାର୍ଯ୍ୟକର୍ତ୍ତାମାନେ କିଭଳି ପାଣ୍ଠି ସଂଗ୍ରହ କରିଥିଲେ ସେ ବାବଦରେ ବଳିଷ୍ଠ ପ୍ରମାଣ ମହାରାଷ୍ଟ୍ର ପୁଲିସ ପାଖରେ ରହିଛି। ସିପିଆଇ ମାଓବାଦୀ ଏବଂ କଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କ ମଧ୍ୟରେ ସଂପର୍କ ନିବିଡ଼ କରିବା ପାଇଁ ମଧ୍ୟ ଏହି ନକ୍ସଲ ଶୁଭଚିନ୍ତକ ଚେଷ୍ଟା କରିଥିବା ପ୍ରମାଣ ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର