ସାମାଜିକ କର୍ମୀଙ୍କୁ ଗିରଫ ମାମଲା

ସଶସ୍ତ୍ର ବିଦ୍ରୋହ ଯୋଜନା କରୁଥିଲେ, ସିପିଆଇ (ମାଓବାଦୀ) ଗୋଷ୍ଠୀର ସକ୍ରିୟ ସଦସ୍ୟ

ମୁମ୍ବାଇ: ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍‌ ନେଇ ଗିରଫ ହୋଇଥିବା ୫ ସାମାଜିକ କର୍ମୀଙ୍କୁ ସୁପ୍ରିମକୋର୍ଟ ଗୃହବନ୍ଦୀ ଆଦେଶ ଦେଇଥିବା ବେଳେ ଆଜି ମହାରାଷ୍ଟ୍ର ସରକାର ଏ ବାବଦରେ କିଛି ଦସ୍ତାବିଜ ଦାଖଲ କରିଛନ୍ତି। ଉକ୍ତ ୫ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ନିର୍ଦ୍ଦେଶ ବାତିଲ୍‌ କରାଯାଉ ଏବଂ ଏମାନଙ୍କୁ ପୁଲିସ ତଦନ୍ତ ଅନ୍ତର୍ଭୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟଙ୍କୁ ସରକାର ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ସରକାର କହିଛନ୍ତି, ଗିରଫ ହୋଇଥିବା ୫ ସାମାଜିକ କର୍ମୀ ସିପିଆଇ (ମାଓବାଦୀ) ଗୋଷ୍ଠୀର ଜଣେ ଜଣେ ସକ୍ରିୟ କର୍ମୀ। ଏମାନେ ଦେଶ ବିରୋଧରେ ବଡ଼ ଧରଣର ହିଂସା ଏବଂ ସଶସ୍ତ୍ର ବିଦ୍ରୋହର ଷଡ଼ଯନ୍ତ୍ର କରୁଥିଲେ।

ଉକ୍ତ ୫ ସାମାଜିକ କର୍ମୀ ବରବରା ରାଓ, ଆଇନଜୀବୀ ସୁଧା ଭରଦ୍ୱାଜ, ସାମାଜିକ କର୍ମୀ ଅରୁଣ ଫେରେଇରା, ଭେର୍ନନ୍‌ ଗନସାଲଭେସ୍‌ ଏବଂ ଗୌତମ ନବଲଖାଙ୍କୁ ଗୃହବନ୍ଦୀ ରଖାଗଲେ ସେମାନେ ବିଭିନ୍ନ ବଳିଷ୍ଠ ପ୍ରମାଣକୁ ନଷ୍ଟ କରିବା ଆଶଙ୍କା ରହିଛି । ତାହାକୁ ଦୃଷ୍ଟିରେ ରଖି ସେମାନଙ୍କ ଗୃହବନ୍ଦୀକୁ ବାତିଲ କରାଯାଉ ବୋଲି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି, ଉକ୍ତ ୫ ଜଣ ସାମାଜିକ କର୍ମୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ଗତ ଏପ୍ରିଲ୍‌ ଏବଂ ଜୁନ୍‌ ମାସରେ ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ହୋଇଥିବା ୫ ଜଣଙ୍କ ବାସଭବନରେ ଚଢ଼ଉ ବେଳେ ଜବତ ହୋଇଥିବା ଲ୍ୟାପ୍‌ଟପ୍‌ ଏବଂ ପେନ୍‌ଡ୍ରାଇଭ୍‌ରୁ ଏ ସଂକ୍ରାନ୍ତ ପ୍ରମାଣ ମିଳିଛି।

ସମ୍ବନ୍ଧିତ ଖବର