ପ୍ରମାଣ ଦାଖଲ କର, ନ ହେଲେ ଏସ୍‌ଆଇଟି ତଦନ୍ତ ହେବ: ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ୍‌ ଅଭିଯୋଗରେ ୫ ସାମାଜିକ କର୍ମୀଙ୍କ ଗିରଫଦାରୀ ଓ ଗୃହବନ୍ଦୀ ପ୍ରସଙ୍ଗରେ ଆଜି ସୁପ୍ରିମ୍‌କୋର୍ଟ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ମାମଲାରେ ଠିକ୍‌ଠାକ୍‌ ତଦନ୍ତ ଓ ଶୁଣାଣି ଚାଲିଥିବା ବେଳେ କେଉଁ କାରଣରୁ ଆବେଦନକାରୀ ସିଧାସଳଖ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ବୋଲି କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏହାକୁ ନେଇ ସୁପ୍ରିମ୍‌କୋର୍ଟ ଭିନ୍ନ ମତପୋଷଣ କରିଛନ୍ତି। କହିଛନ୍ତି, ଆବଶ୍ୟକ ବେଳେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିପାରିବେ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସରକାର କିମ୍ବା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। କୌଣସି ପଦକ୍ଷେପ ନେବା ପୂର୍ବରୁ ଠୋସ୍‌ ପ୍ରମାଣ ରହିଥିବା ଆବଶ୍ୟକ। ସେହିଭଳି ଯେଉଁ ଆଧାରରେ ୫ ସାମାଜିକ କର୍ମୀଙ୍କୁ ଗିରଫ କରାଗଲା, ତାହାର ମଧ୍ୟ ଯାଞ୍ଚ କରାଯିବ ଏବଂ ଯଦି ଏଥିରେ ବଳିଷ୍ଠ ପ୍ରମାଣ ନଥିବା ଜଣାପଡ଼େ, ତା’ହେଲେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯିବ। ସେହିଭଳି ସିଆର୍‌ପିସିର ଉଲ୍ଲଂଘନ ହୋଇଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କହିଛନ୍ତି, କୋର୍ଟ ଯେବେ ବି ଏସ୍‌ଆଇଟି ଗଠନ କରିଛନ୍ତି, ସିଆର୍‌ପିସିର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ। କେଉଁ ଭିତ୍ତିରେ ୫ ସାମାଜିକ କର୍ମୀଙ୍କୁ ଗିରଫ କରାଗଲା ତାହା ସ୍ପଷ୍ଟ କରାଯିବା ଅତ୍ୟନ୍ତ ଜରୁରୀ। କାରଣ ଏହା ଜଣକର ମାନବାଧିକାରକୁ କ୍ଷୁଣ୍ଣ କରୁଛି। ଆବେଦନକାରୀ ରୋମିଲା ଥାପର ଏବଂ ଅନ୍ୟ ୪ ଜଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ ପୁଲିସଠାରୁ ସୂଚନା ପାଇ ଗଣମାଧ୍ୟମ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା, ତାହାକୁ ଆଧାର କରି ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଛି। ପୁଲିସ ନିକଟରେ କୌଣସି ଠୋସ ପ୍ରମାଣ ନଥାଇ ବି ଏଭଳି ଭାବେ ଗିରଫଦାରୀ ହୋଇଛି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି, ଏଭଳି ମନଗଢ଼ା ରିପୋର୍ଟକୁ ନିର୍ଭର କରି ଗିରଫ କରାଯାଇ ପାରିବ ନାହିଁ। ତେଣୁ ବର୍ତ୍ତମାନ ଉଭୟ ପକ୍ଷ (ଆବେଦନକାରୀ ଓ ମହାରାଷ୍ଟ୍ର ସରକାର) ସେମାନଙ୍କର ନିଜ ନିଜ ପ୍ରମାଣ ଉପସ୍ଥାପନ କରିବେ। ଆଗାମୀ ୧୯ ତାରିଖରେ ଏହା ଉପରେ ଯାଞ୍ଚ କରାଯିବ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି। ଏହାପରେ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ମନିନ୍ଦର ସିଂହ କହିଛନ୍ତି ଯେ ନକ୍ସଲ ସମସ୍ୟା କେବଳ ଗୋଟିଏ ରାଜ୍ୟ (ମହାରାଷ୍ଟ୍ର) ମଧ୍ୟରେ ସୀମିତ ନାହିଁ। ଏହା ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଛି। ତେଣୁ ଏହାକୁ ବିଚାରକୁ ନେଇ କାର୍ଯ୍ୟ କରିବାକୁ ହେବ। ତା’ଛଡ଼ା ଏହି ମାମଲାରେ ଆବେଦନକାରୀ ସିଧାସଳଖ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସିଆର୍‌ପିସିକୁ ଆଧାର କରି ପୁଲିସ କ’ଣ ତଦନ୍ତ କରୁନାହିଁ କିମ୍ବା ତଳ କୋର୍ଟ କ’ଣ ମାମଲାର ଠିକ୍‌ ଶୁଣାଣି କରୁନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇନ ଅନୁସାରେ ପ୍ରଥମେ ସଂପୃକ୍ତ ତଳ କୋର୍ଟରେ ମାମଲାର ଶୁଣାଣି ହେବା ଉଚିତ। ଆବଶ୍ୟକ ପଡ଼ିଲେ ମାମଲା ସୁପ୍ରିମ୍‌କୋର୍ଟ ଆସିବ। କିନ୍ତୁ ସୁପ୍ରିମ୍‌କୋର୍ଟ ଯଦି ସବୁ ଘଟଣାରେ ତୃତୀୟ ପକ୍ଷ ଆବେଦନକାରୀଙ୍କୁ ଶୁଣାଣି ପାଇଁ ଅନୁମତି ଦେବେ, ତା’ହେଲେ ପ୍ରତ୍ୟେକ ମାମଲା ଏଠାକୁ ଆସିବ ବୋଲି ସେ କହିଛନ୍ତି। ସେହିଭଳି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ତୁଷାର ମେହଟ୍ଟା କହିଥିଲେ, ଠୋସ୍‌ ପ୍ରମାଣକୁ ଆଧାର କରି ଗିରଫଦାରୀ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭୀମା କୋରେଗାଓଁ ହିଂସା ଘଟଣାରେ ମାଓବାଦୀ ଲିଙ୍କ୍‌ ସନ୍ଦେହରେ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ ସାମାଜିକ କର୍ମୀ ବରବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେରେଇରା, ଭେର୍ନନ୍‌ ଗନ୍‌ସାଲ୍‌ଭେସ୍‌ ଏବଂ ଗୌତମ ନବଲଖାଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା। ଏମାନେ ଏବେ ଗୃହବନ୍ଦୀରେ ରହିଛନ୍ତି।