ନୂଆଦିଲ୍ଲୀ: ପ୍ରମାଣ ଅଭାବ ଯୋଗୁଁ ଶୁକ୍ରବାର ଦିନ ସ୍ପେସାଲ୍ ସିବିଆଇ କୋର୍ଟ ଗ୍ୟାଙ୍ଗ୍ଷ୍ଟର୍ ସୋହରାବୁଦ୍ଦିନ ଶେଖ, ତାଙ୍କ ପତ୍ନୀ କୌସର ବାଈ ଏବଂ ସହଯୋଗୀ ତୁଳସୀ ପ୍ରଜାପତିଙ୍କ ମିଥ୍ୟା ଏନ୍କାଉଣ୍ଟର୍ ମାମଲାରେ ଅଭିଯୁକ୍ତ ୨୨ ଜଣ ପୁଲିସଙ୍କୁ ଦୋଷମୁକ୍ତ କରିଛନ୍ତି।
୨୨ ଜଣଙ୍କ ବିରୋଧରେ ନରହତ୍ୟା, ଅପହରଣ ଓ ପ୍ରମାଣ ନଷ୍ଟ ଆଦି ଚାର୍ଜ ଫ୍ରେମ୍ କରାଯାଇଥିଲା। ୨୨ ଜଣଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ଗୁଜରାଟ ଓ ରାଜସ୍ଥାନର କନିଷ୍ଠ ପୁଲିସ କର୍ମଚାରୀ। ଜଣେ ହେଉଛନ୍ତି ଗୁଜରାଟ ଫାର୍ମ ହାଉସ୍ର ମାଲିକ ଯେଉଁଠି ଶେଖ୍ ଏବଂ କୌସର ବାଈଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିଲା।
ସ୍ପେସାଲ୍ ସିବିଆଇ ଜଜ୍ ଏସ୍ ଜେ ଶର୍ମା ରାୟ ଶୁଣାଇ କହିଲେ ଯେ କୁହାଯାଉଥିବା ଷଡ଼ଯନ୍ତ୍ର ସମ୍ବନ୍ଧରେ ପ୍ରୋଜେକ୍ୟୁସନ୍ କୌଣସି ନଥିପତ୍ର ଓ ବିଚାରଯୋଗ୍ୟ ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଛି।
୨୦୦୫ ମସିହା ନଭେମ୍ବର ମାସରେ ହାଇଦ୍ରାବାଦରୁ ମହାରାଷ୍ଟ୍ରର ସାଙ୍ଗଲି ଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର୍ ସୋହରାବୁଦ୍ଦିନ ଶେଖ୍ ଏବଂ ତାଙ୍କ ପତ୍ନୀ କୌସର ବାଇଙ୍କୁ ଗୁଜରାଟର ଆଣ୍ଟି-ଟେରୋରିଜମ୍ ସ୍କ୍ଵାଡ୍ (ଏଟିଏସ୍) ଅପହରଣ କରି ନେଇ ଗାନ୍ଧୀନଗର ଠାରେ ମିଥ୍ୟା ଏନ୍କାଉଣ୍ଟ୍ରରେ ହତ୍ୟା କରିଥିଲେ ବୋଲି ସିବିଆଇ କହୁଛି। ତାଙ୍କ ପତ୍ନୀ ମଧ୍ୟ ନିରୁଦ୍ଦେଶ ହୋଇ ଯାଇଥିଲେ।
ଶେଖ୍ଙ୍କ ସହଯୋଗୀ ତଥା ଏନ୍କାଉଣ୍ଟର୍ ସମୟର ପ୍ରତ୍ୟକ୍ଷଦର୍ଶୀ ପ୍ରଜାପତିଙ୍କୁ ମଧ୍ୟ ଗୁଜରାଟର ବନସ୍କାନ୍ତ ଜିଲ୍ଲା ଅନ୍ତର୍ଗତ ଚାପ୍ରି ଗାଁ’ରେ ଡିସେମ୍ବର ୨୦୦୬ରେ ହତ୍ୟା କରିଥିଲା ବୋଲି କୁହାଯାଉଛି।
ଡିସେମ୍ବର ୨୦୧୩ରେ ସିବିଆଇ ବିଜେପି ମୁଖ୍ୟ ଅମିତ ଶାହା ଏବଂ କେତେକ ପୁଲିସ ଅଧିକାରୀଙ୍କ ସମେତ ଅନ୍ୟ ୧୮ ଜଣଙ୍କୁ ଚାର୍ଜ-ସିଟ୍ କରିଥିଲା।
ପରେ ଏହି ମାମଲାରେ ସିବିଆଇ କୋର୍ଟ ଶାହାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା।
ସିବିଆଇ ଅନୁରୋଧ କ୍ରମେ ସେପ୍ଟେମ୍ବର ୨୦୧୨ରେ ମାମଲା ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା।