ନୂଆଦିଲ୍ଲୀ : ସୋହରାବୁଦ୍ଦିନ ଶେଖ୍ ଏନ୍କାଉଣ୍ଟର ମାମଲାରେ ସିବିଆଇର ସ୍ବତନ୍ତ୍ର ଅଦାଲତ ୨୧ ଜଣ ପୁଲିସ କର୍ମୀ ସମେତ ସମସ୍ତ ୨୨ ଅଭିଯୁକ୍ତଙ୍କୁ ଆଜି ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ଏହି ମାମଲାରୁ ମୁକ୍ତ କରାଯାଇଥିବା ଅଦାଲତ କହିଛନ୍ତି। ଏହି ମାମଲାରେ ସାକ୍ଷୀମାନେ ସେମାନଙ୍କ ବୟାନ ବଦଳାଇ ଦେବା ଏବଂ କୌଣସି ଅଭିଯୁକ୍ତଙ୍କୁ ନେଇ ବଳିଷ୍ଠ ପ୍ରମାଣ ନଥିବାରୁ ସେମାନେ ଛାଡ଼ ପାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର ଏବଂ ହତ୍ୟା ମାମଲା ନେଇ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ନାହିଁ ଏବଂ କେବଳ ଅନୁମାନ ଆଧାରରେ କାହାକୁ ଦୋଷୀସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ସିବିଆଇ ବିଚାରପତି କହିଛନ୍ତି। କୋର୍ଟ ରାୟ ମୁତାବକ ତୁଲସୀରାମ ପ୍ରଜାପତିଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଯାହା କୁହାଯାଇଛି ତାହା ଠିକ୍ ନୁହେଁ ଏବଂ ଏନେଇ କୌଣସି ପ୍ରମାଣ ନାହିଁ । ସୋହରାବୁଦ୍ଦିନ ଶେଖ୍ ଏନ୍କାଉଣ୍ଟର ମାମଲାରେ ୨୧୦ ଜଣ ସାକ୍ଷୀଙ୍କୁ ଉପସ୍ଥାପନ କରାଯାଇଥିଲା। କିନ୍ତୁ ସେମାନଙ୍କର ବୟାନରେ ଆଦୌ ତାଳମେଳ ନଥିଲା। ଅନେକ ସାକ୍ଷୀ ନିଜ ବୟାନ ବଦଳାଇ ଦେଇଥିଲେ। ଗୁଜରାଟ ଏଟିଏସ୍ ଏବଂ ରାଜସ୍ଥାନ ଏସଟିଏଫ୍ ୨୬ ନଭେମ୍ବର ୨୦୦୫ରେ ଅହମଦାବାଦ୍ ନିକଟରେ ହୋଇଥିବା ଏକ ଏନ୍କାଉଣ୍ଟରରେ ମଧ୍ୟପ୍ରଦେଶର ଅପରାଧୀ ସୋହରାବୁଦ୍ଦିନ୍କୁ ନିପାତ କରିଥିଲେ। ଏହାର ୧ ବର୍ଷ ପରେ ୨୮ ଡିସେମ୍ବର ୨୦୦୬ରେ ସୋହରାବୁଦ୍ଦିନ୍ର ସହଯୋଗୀ ତୁଲସୀରାମ ପ୍ରଜାପତିଙ୍କୁ ମଧ୍ୟ ଏନ୍କାଉଣ୍ଟରରେ ନିପାତ କରାଯାଇଥିଲା। ୨୦୧୦ରୁ ଏହି ମାମଲାର ତଦନ୍ତ ସିବିଆଇ ହାତକୁ ନେଇଥିଲା। ୨୦୧୦, ଜୁଲାଇ ୨୩ରେ ଏହି ମାମଲାରେ ସିବିଆଇ ଗୁଜରାଟର ତତ୍କାଳୀନ ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜସ୍ଥାନର ତତ୍କାଳୀନ ଗୃହମନ୍ତ୍ରୀ ଗୁଲାବ ଚାନ୍ଦ କଟାରିଆଙ୍କ ସମେତ କେତେକ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିଥିଲା। ଏହି ମାମଲାରେ ଅମିତ ଶାହଙ୍କୁ ଜୁଲାଇ ୨୫, ୨୦୧୦ରେ ଗିରଫ କରାଯାଇଥିଲା। ଅକ୍ଟୋବର ୨୯, ୨୦୧୦ରେ ଅମିତ ଶାହଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଏବଂ ଡିସେମ୍ବର ୩୦, ୨୦୧୪ରେ ସିବିଆଇ ଅଦାଲତ ଶାହଙ୍କୁ ମାମଲାରୁ ଦୋଷମୁକ୍ତ କରିଥିଲେ।
ଜୀବିତ ଛାଡ଼ିଥିଲେ ମୋଦୀଙ୍କୁ ହତ୍ୟା କରିଥାନ୍ତା: ପୂର୍ବ ଆଇଜି ବନ୍ଜାରା
ନୂଆଦିଲ୍ଲୀ : ସୋହରାବୁଦ୍ଦିନ୍ ଶେଖ୍ ଏନକାଉଣ୍ଟର ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବ ପୁଲିସ ମହା ନିର୍ଦ୍ଦେଶକ ଡିଜି ବନ୍ଜାରା କହିଛନ୍ତି ଯେ ଯଦି ପୁଲିସ ସୋହରାବୁଦ୍ଦିନ୍କୁ ଜୀବିତ ଛାଡ଼ିଥାନ୍ତା ତାହାଲେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ଯୋଜନା କାର୍ଯ୍ୟକାରୀ କରିଥାନ୍ତା। ଆଜି ଏହି ମାମଲାରେ ଗୁଜରାଟ ଏଟିଏସ୍କୁ ନ୍ୟାୟ ମିଳିଛି। ରାଜନୈତିକ କାରଣରୁ ଏହି ମାମଲାରେ ମତେ ୯ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି ବନ୍ଜାରା କହିଛନ୍ତି।