ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲା: ଗଣମାଧ୍ୟମ ଉପରେ ଲାଗୁ କଟକଣା ହଟାଇଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ସୋହରାବୁଦ୍ଦିନ୍‌ ମିଥ୍ୟା ଏନ୍‌କାଉଣ୍ଟର ମାମଲାର ବିଚାରଣ ପ୍ରକ୍ରିୟାରେ ଗଣମାଧ୍ୟମ ରିପୋର୍ଟିଂକୁ ଆଜି ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ବିଚାରଣ ପ୍ରକ୍ରିୟାର ଗଣମାଧ୍ୟମ ରିପୋର୍ଟିଂ ଉପରେ ପୂର୍ବରୁ ରୋକ୍‌ ଲଗାଇଥିବା ତଳ ଅଦାଲତର ରାୟକୁ କୋର୍ଟ ଖାରଜ କରିଦେଇଛନ୍ତି। ମୁମ୍ବାଇର ସାମ୍ବାଦିକ ସଂଘ ଦ୍ୱାରା ହୋଇଥିବା ଏକ ଆବେଦନର ଶୁଣାଣି କରି ଆଜି ବମ୍ବେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ରେବତୀ ମୋହିତ୍‌ କହିଛନ୍ତି ଯେ ଗଣମାଧ୍ୟମକୁ ରିପୋର୍ଟିଂ ପାଇଁ ନିଷିଦ୍ଧ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ଏଭଳି ନିର୍ଦ୍ଦେଶ ଦେବାର କ୍ଷମତା କେବଳ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କର ରହିଛି ବୋଲି ଜଷ୍ଟିସ ରେବତୀ କହିଛନ୍ତି। ଗତବର୍ଷ ନଭେମ୍ବର ୨୯ ତାରିଖରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ବିଚାର ପ୍ରକ୍ରିୟାର ଖବର ସଂଗ୍ରହ ପାଇଁ ଗଣମାଧ୍ୟମକୁ ନିଷିଦ୍ଧ କରିଥିଲେ। ମାମଲାରେ ଅଭିଯୁକ୍ତ ଏବଂ ସାକ୍ଷୀମାନଙ୍କ ଲାଗି ସୁରକ୍ଷା ସମସ୍ୟା ଦେଖାଇ କୋର୍ଟ ମାମଲାରେ ଗଣମାଧ୍ୟମର ରିପୋର୍ଟିଂକୁ ବାରଣ କରିଥିଲେ। ଉଲ୍ଲେଖଯୋଗ୍ୟ ୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ସୋହରାବୁଦ୍ଦିନ, ପତ୍ନୀ କୌସର ଏବଂ ସହଯୋଗୀ ତୁଲ୍‌ସିରାମ ପ୍ରଜାପତିଙ୍କୁ ଏକ ଏନକାଉଣ୍ଟ୍‌ରରେ ନିପାତ କରାଯାଇଥିଲା।

ସମ୍ବନ୍ଧିତ ଖବର