ବାଙ୍ଗାଲୋର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଦିତ୍ୟ-ଏଲ୍-୧ ମହାକାଶଯାନରେ ଥିବା ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସଆଇଟି) ନିକଟରେ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଛି।  ଇସ୍ରୋ ପକ୍ଷରୁ ଏସବୁ ଫଟୋ ଜାରି କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ଉଲ୍ଲେଖନୀୟ ସଫଳତା ସୌର ପର୍ଯ୍ୟବେକ୍ଷଣ ଏବଂ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କୁହାଯାଉଛି।

Advertisment

୨୦୦ରୁ ୪୦୦ ନାନୋମିଟର ପର୍ଯ୍ୟନ୍ତ ତରଙ୍ଗଦୈର୍ଘ୍ୟକୁ କଭର କରୁଥିବା ଏହି ଫଟୋଗୁଡ଼ିକ ସୂର୍ଯ୍ୟର ଫଟୋସ୍ଫିୟର (ପ୍ରକାଶମଣ୍ଡଳ) ଏବଂ କ୍ରୋମୋସ୍ଫିୟର ବିଷୟରେ ଅଭୂତପୂର୍ବ ସୂଚନା ପ୍ରଦାନ କରିଥାଏ । ସୂର୍ଯ୍ୟର ଦୃଶ୍ୟମାନ 'ପୃଷ୍ଠ'କୁ ଫଟୋସ୍ଫିୟର କୁହାଯାଏ ଏବଂ ଏହାର ଠିକ୍ ଉପରକୁ ଥିବା ସ୍ୱଚ୍ଛ ସ୍ତରକୁ କ୍ରୋମୋସ୍ଫିୟର କୁହାଯାଏ ।

ସୂର୍ଯ୍ୟର ଏହି ସ୍ତରଗୁଡ଼ିକ ସୂର୍ଯ୍ୟସ୍ପଟ୍ ଏବଂ ଫ୍ଲେୟାର ସମେତ ବିଭିନ୍ନ ସୌର ଘଟଣାକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ପୃଥିବୀର ପାଣିପାଗ ଓ ଜଳବାୟୁ ଉପରେ ଏଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍-ଏକ୍ସଏଲ୍ (ପିଏସଏଲ୍ଭି-ଏକ୍ସଏଲ୍)ରେ ଆଦିତ୍ୟ-ଏଲ୍-୧କୁ ନିମ୍ନ ପୃଥିବୀ କକ୍ଷପଥରେ (ଏଲ୍ଇଓ) ସ୍ଥାପନ କରାଯାଇଥିଲା। ଏବେ ଆଦିତ୍ୟ ଏଲ-୧ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଏଲ୧ ନାମକ ଏକ ସ୍ଥାନରେ ରହି ସୂର୍ଯ୍ୟର ଅଧ୍ୟୟନ କରୁଛି ।