ପୃଥିବୀପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼; ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଖାଇବ ପ୍ରଭାବ!

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏକ ସୌରଝଡ଼ ମାଡ଼ି ଆସୁଥିବା ନେଇ ଗଲା କିଛି ଦିନ ହେଲାଣି ଚର୍ଚ୍ଚା ଚାଲିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି । ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ପାଇଁ ପ୍ରଭାବିତ ହୋଇପାରେ । ନାସାର ଆକଳନ ଅନୁଯାୟୀ, ସୌର ଝଡ଼ ଘଣ୍ଟାପ୍ରତି ୧୬ ଲକ୍ଷ କିଲୋମିଟର ବେଗରେ ଆସୁଛି ଏବଂ ପୃଥିବୀ ନିକଟବର୍ତ୍ତୀ ହେଲା ବେଳକୁ ବେଗ ଆହୁରି ବଢ଼ିପାରେ । ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ପରେ ସାଟେଲାଇଟ୍ ସିଗନାଲ ପ୍ରଭାବିତ ହେବ ।

India Today

ତେବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଏହି ସୌରଝଡ଼ ପ୍ରବେଶ କଲେ କ’ଣ ପ୍ରଭାବ ରହିବ ? ସେନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ତାଙ୍କ କହିବା ହେଲା ସୌରମଣ୍ଡଳରେ ବାରମ୍ବାର ବିସ୍ଫୋରଣମାନ ହୋଇଥାଏ।

ବେଳେବେଳେ ଏହି ବିସ୍ଫୋରଣ ବଡ଼ ହୋଇଥିଲେ ଏହା ଦ୍ରୁତ ବେଗରେ ପୃଥିବୀ ପୃଷ୍ଠକୁ ମାଡ଼ି ଆସେ । ଏଥିରେ ଥିବା ନ୍ୟୁଟନ ଓ ପ୍ରୋଟନ ପରି ସୌରକଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ହେଲେ ଏହାର ସାମାନ୍ୟ ପ୍ରଭାବ ରହିବ । ଚୁମ୍ବକୀୟ ଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟୁତ ଉତ୍ପାଦନ କିମ୍ବା ଟେଲିଫୋନ ସେବା ଏହାଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇପାରେ । କିନ୍ତୁ ସେଭଳି କୌଣସି ବଡ଼ଧରଣର ଆଶଙ୍କା ନାହିଁ । ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ ନାହିଁ । ତେଣୁ ଏଥିପାଇଁ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର