ମାଡ଼ି ଆସୁଛି ସୌର ଝଡ଼: ମୋବାଇଲ୍ ସିଗ୍‌ନାଲ୍, ଜିପିଏସ୍‌ ପ୍ରଭାବିତ ହେବ

ନୂଆଦିଲ୍ଲୀ: ଏକ ବଡ଼ ଧରଣର ସୌର ଝଡ଼ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଆସୁଛି। ଏହା ଘଣ୍ଟା ପ୍ରତି ୧୬,୦୯, ୩୪୪ କିମି ବେଗରେ ଗତି କରୁଛି। ଏହାର ଗତି ଆହୁରି ବଢ଼ିପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଆସନ୍ତାକାଲି ଏହା ପୃଥିବୀରେ ମାଡ଼ ହେବ ଏହାର ପ୍ରଭାବରେ ମୋବାଇଲ୍ ଫୋନ୍ ସିଗ୍‌ନାଲ୍‌, ଉପଗ୍ରହ ସିଗ୍‌ନାଲ୍‌ ଓ ଜିପିଏସ୍‌ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି। ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ‌ଯେ ସୌର ଝଡ଼ ପ୍ରଭାବରେ ରେଡିଓ ସିଗ୍ନାଲ୍, ଯୋଗାଯୋଗ ଓ ପାଣିପାଗ ପ୍ରଭାବିତ ହେବ। ସୂର୍ଯ୍ୟ ବାୟୁମଣ୍ଡଳରୁ ସୃଷ୍ଟି ହୋଇଥିବା ଏହି ‌ସୌର ଝଡ଼ର ପ୍ରଭାବ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପଡ଼ିପାରେ। ‌ସୌର ଝଡ଼ ମାଡ଼ ହେବା ପରେ ପୃଥିବୀର ବାହ୍ୟ ବାୟୁମଣ୍ଡଳର ତାପମାତ୍ରା ବଢ଼ିବ। ଏହାର ସିଧାସଳଖ ପ୍ରଭାବ ଉପଗ୍ରହ ଉପରେ ଦେଖାଦେବ। ଜିପିଏସ୍‌ ଓ ସାଟେଲାଇଟ୍‌ ଟିଭି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଦ୍ୟୁତ ଲାଇନ୍‌ରେ ଦ୍ରୁତ ଗତିରେ ବିଦ୍ୟୁତ ଶକ୍ତି ପ୍ରବାହିତ ହେବାର ଆଶଙ୍କା ରହିଛି। କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଏଭଳି ଘଟଣା ଘଟିବାର ବହୁତ କମ୍ ସମ୍ଭାବନା ରହିଛି। କାରଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏଥିପାଇଁ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିଥାଏ।

୧୮୫୨ରେ ଭୟଙ୍କର ସୌର ଝଡ଼ ଦେଖିବାକୁ ମିଳିଥିଲା। ସେହି ସମୟରେ ଲୋକମାନେ ଭାବିଥିଲେ ଦୁନିଆ ଶେଷ ହେବାକୁ ଯାଉଛି। ସେହି ସମୟର ଅନୁଭୂତିକୁ ବର୍ଣ୍ଣନା କରି ‌ପର୍ତୁଗାଲର ଲେଖକ ସୋଆରେସ୍‌ ଲେଖିଛନ୍ତି ଯେ ଉତ୍ତର ଆକାଶରେ ତିନି ଦିନ ପର୍ଯ୍ୟନ୍ତ କେବଳ ନିଆଁ ଦେଖିବାକୁ ମିଳିଥିଲା। ସାରା ଆକାଶରେ ନିଆଁ ଲାଗିଯାଇଥିବା ଭଳି ଲାଗୁଥିଲା। ମଧ୍ୟରାତ୍ରୀରେ ନିଆଁର କିରଣ ଦେଖିବାକୁ ମିଳୁଥିଲା ଯାହା ଅତ୍ୟନ୍ତ ଭୟଙ୍କର ଦେଖାଯାଉଥିଲା।

ସମ୍ବନ୍ଧିତ ଖବର