ସେନା ଦଖଲରେ ଜିମ୍ବାେଓ୍ଵ

ରାଷ୍ଟ୍ରପତି ମୁଗାବେ ଗୃହବନ୍ଦୀ: ସାମରିକ କାର୍ଯ୍ୟାନୁଷ୍ଠାନକୁ ବିପୁଳ ସମର୍ଥନ

ହାରାରେ: ଆଫ୍ରିକୀୟ ରାଷ୍ଟ୍ର ଜିମ୍ବାେଓ୍ଵରେ ରାଜନୈତିକ ସଙ୍କଟ ଜଟିଳ ରୂପ ନେଇଛି। ଶାସକ ଦଳରେ ଲାଗି ରହିଥିବା ଭୟଙ୍କର କନ୍ଦଳର ଦ୍ୱାହି ଦେଇ ସେନାବାହିନୀ ଦେଶର ଶାସନ କ୍ଷମତା ନିଜ ନିୟନ୍ତ୍ରଣକୁ ନେଇଛି। ରାଷ୍ଟ୍ରପତି ରୋବର୍ଟ ମୁଗାବେ ଓ ତାଙ୍କ ପତ୍ନୀ ଗ୍ରେସ୍‌ ମୁଗାବେଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତେବେ ଗ୍ରେସ୍‌ ସେନାର କ୍ଷମତା ଦଖଲ ପୂର୍ବରୁ ଅନ୍ୟ କୌଣସି ଆଫ୍ରିକୀୟ ରାଷ୍ଟ୍ରକୁ ପଳାଇଥିବା ମଧ୍ୟ ଆଲୋଚନା ହେଉଛି। ଦୀର୍ଘ ଚାରି ଦଶନ୍ଧି ଧରି ଜିମ୍ବାେଓ୍ଵରେ ଶାସନ କରୁଥିବା ୯୩ ବର୍ଷୀୟ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ତୀବ୍ର ଛକାପଂଝା ଲାଗି ରହିଥିବା ବେଳେ ସେନାର କ୍ଷମତା ଦଖଲ ଏହି ରାଷ୍ଟ୍ରର ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ବିରାଟ ଝଟ୍‌କା ହୋଇଛି। ମଙ୍ଗଳବାର ରାତିରେ ରାଜଧାନୀ ହାରାରେରେ ସିରିଜ୍‌ ବିସ୍ଫୋରଣ ହେବା ପରେ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେନା ମୁତୟନ କରାଯାଇଥିଲା। ଆଜି ରାଷ୍ଟ୍ରପତି ମୁଗାବେଙ୍କ ବାସଭବନ ସମତେ ସମସ୍ତ ସରକାରୀ ପ୍ରତିଷ୍ଠାନକୁ ସେନା ନିଜ ନିୟନ୍ତ୍ରଣକୁ ନେଇଯାଇଛି। ତେବେ ଜିମ୍ବାେଓ୍ଵରେ କୌଣସି ଯୁଦ୍ଧ ପରିସ୍ଥିତି ନାହିଁ ଏବଂ ରାଷ୍ଟ୍ରପତି ଓ ତାଙ୍କ ପରିବାର ସୁରକ୍ଷିତ ଥିବା ସେନା ପକ୍ଷରୁ କୁହାଯାଇଛି। ଦେଶର ଭୁଶୁଡ଼ି ପଡ଼ୁଥିବା ଅର୍ଥନୀତି ଏବଂ ଅପରାଧୀଙ୍କ ପ୍ରାଦୁର୍ଭାବକୁ ରୋକିବା ନିମନ୍ତେ ଏହା ଏକ ଅଭିଯାନ ଓ ଅତିଶୀଘ୍ର ପରିସ୍ଥିତି ନିୟନ୍ତ୍ରଣାଧୀନ ହେବ ବୋଲି ସେନା ବିବୃତି ଦେଇଛି। ଉଲ୍ଲେଖଯୋଗ୍ୟ ମଙ୍ଗଳବାର ଦିନ ରାଷ୍ଟ୍ରପତି ମୁଗାବେ ଜିମ୍ବାେଓ୍ଵ ସେନାମୁଖ୍ୟ କାନ୍ସଟେନ୍‌ଟିନୋ ଚିେଓ୍ଵଙ୍ଗାଙ୍କ ଉପରେ ରାଜଦ୍ରୋହ ମାମଲା ଲଗାଇ ପଦରୁ ବହିଷ୍କାର କରଥିଲେ।

ଗୋଟିଏ ପଟେ ମୁଗାବେଙ୍କ ରାଜନୈତିକ ଦଳ ଜେଡ୍‌ଏଏନ୍‌ୟୁ-ପିଏଫ୍‌ରେ ଘୋର କଳହ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଏଡ଼ାଇବା ପାଇଁ ସକ୍ଷମ ହୋଇନାହାନ୍ତି। ରାଷ୍ଟ୍ରପତି ମୁଗାବେଙ୍କ ପତ୍ନୀ ଦଳର ବହୁ ନେତା ଓ ଜିମ୍ବାେଓ୍ଵ ସେନାକୁ ଅପମାନ କରିବା ପରେ ପରସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ମୁଗାବେଙ୍କୁ ଶାସନଗାଦିରୁ ହଟାଇବା ଉଦ୍ଦେଶ୍ୟରେ ବିରୋଧୀ ଦଳ ଓ ଜେଡ୍‌ଏଏନ୍‌ୟୁ-ପିଏଫ୍‌ର କିଛି ନେତା ଦେଶରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି। ରାଜଧାନୀ ଏବେ ସଂପୂର୍ଣ୍ଣ ଭାବେ ସେନା ନିୟନ୍ତ୍ରଣରେ ରହିଥିବାରୁ ପରବର୍ତ୍ତୀ ପଦକ୍ଷେପ ସେନା ହିଁ ସ୍ଥିର କରିବ ବୋଲି ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜାକୋବ୍‌ ଜୁମା ଜିମ୍ବାେଓ୍ଵ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଦକ୍ଷୀଣ ଆଫ୍ରିକୀୟ ବିକାଶ ସଂଗଠନର ନେତା ଭାବେ ଜୁମା ଏହି ଅସ୍ଥିରତାକୁ ଦୂର କରିବା ପାଇଁ ନିଜ ମନ୍ତ୍ରୀଙ୍କୁ ଜିମ୍ବାେଓ୍ଵ ପଠାଇଛନ୍ତି । ଜିମ୍ବାେଓ୍ଵ ସରକାର ଏହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜୁମା ଆହ୍ଵାନ ଦେଇଛନ୍ତି।

ଗତ ସପ୍ତାହରେ ଉପରାଷ୍ଟ୍ରପତି ଏମରସନ୍‌ ମନାଙ୍ଗଓ୍ଵାଙ୍କୁ ମୁଗାବେ ବହିଷ୍କାର କରିବା ପରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବହିଷ୍କାର ହେବାପରେ ମନାଙ୍ଗଓ୍ଵା ଆଫ୍ରିକା ପଳାଇଥିଲେ ଏବଂ ଆଜି ହାରାରେ ଫେରିଛନ୍ତି। ତାଙ୍କ ପ୍ରତି ସେନାମୁଖ୍ୟଙ୍କ ସମର୍ଥନ ରହିଥିବାରୁ ଏବେ ସେନାର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଜିମ୍ବାେଓ୍ଵ ସମ୍ବିଧାନକୁ ସମ୍ମାନ ଦେଇ ଯାହାକିଛି କରାଯିବ ବୋଲି ମନାଙ୍ଗଓ୍ଵା କହିଛନ୍ତି। ୧୯୮୦ ମସିହାରେ ବି୍ରଟେନ୍‌ଠାରୁ ଜିମ୍ବାେଓ୍ଵ ସ୍ୱାଧୀନତା ହାସଲ କରିବା ପରଠାରୁ ମୁଗାବେ ଏକଛତ୍ରବାଦ ଶାସନ ଚଳାଇ ଆସୁଛନ୍ତି।

ସମ୍ବନ୍ଧିତ ଖବର