ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଥର ପାଇଁ ସୈନିକଙ୍କ ପରିବାରକୁ ସକ୍ରିୟ ଭାବେ ଆଇନଗତ ସହାୟତା ଯୋଗାଇ ଦିଆଯିବ। ‘ନାଲ୍ସା ବୀର ପରିବାର ସହାୟତା ଯୋଜନା-୨୦୨୫’ ନାମକ ଏହି ନୂତନ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତୀୟ ସୈନିକମାନେ କଠିନ ଅଞ୍ଚଳ ଓ ଦୂର ଦୂରାନ୍ତରେ ସେବା କରୁଥିବା ବେଳେ ସେମାନଙ୍କୁ ଘରୋଇ ଆଇନଗତ ବୋଝରୁ ମୁକ୍ତ କରିବା। ଏହି ଐତିହାସିକ ନ୍ୟାୟିକ ପଦକ୍ଷେପରେ ବାର୍ତ୍ତା ହେଉଛି: ଆପଣ ସୀମାରେ ଦେଶର ସେବା କରନ୍ତୁ, ଆମେ ଘରେ ଆପଣଙ୍କ ପରିବାରର ଯତ୍ନ ନେବୁ। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଶ୍ରୀନଗରରେ ଆୟୋଜିତ ଏକ ସମ୍ମିଳନୀରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୋଗ ଦେଇଥିଲେ। ଅପରେସନ ସିନ୍ଦୂର ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ମାମଲା ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ ସୂର୍ଯ୍ୟକାନ୍ତ ଅପରେସନ ସମୟରେ ସଶସ୍ତ୍ର ବାହିନୀର ବଳିଦାନରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନ୍ୟାୟପାଳିକା କିପରି ସେମାନଙ୍କ କଲ୍ୟାଣରେ ଅଧିକ ସିଧାସଳଖ ଯୋଗଦାନ ଦେଇପାରିବ ସେ ବିଷୟରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଦେଶକୁ ରକ୍ଷା କରୁଥିବା ସୈନିକମାନେ ଯେପରି ବ୍ୟକ୍ତିଗତ ଆଇନଗତ ସଙ୍କଟର ମୁକାବିଲା ପାଇଁ ଏକୁଟିଆ ହୋଇ ନ ଯିବେ ସେଥିପାଇଁ ଆଇନଜୀବୀ ମହଲ ନିଜର ଭୂମିକା ନିର୍ବାହ କରିବା ଦରକାର।
ବିଚ୍ଛିନ୍ନାଞ୍ଚଳରେ ନିୟୋଜିତ ସୈନିକମାନେ ପ୍ରାୟତଃ ପାରିବାରିକ ସମ୍ପତ୍ତି, ଘରୋଇ ବିବାଦ କିମ୍ବା ଜମି ସମ୍ବନ୍ଧୀୟ ଆଇନଗତ ମାମଲାଗୁଡ଼ିକ ଲଢ଼ିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ, ଜମ୍ମୁ-କାଶ୍ମୀରରେ ମୁତୟନ ଥିବା ଜଣେ ସୈନିକଙ୍କୁ କେରଳ କିମ୍ବା ତାମିଲନାଡୁରେ ଅଦାଲତରେ ହାଜର ହେବା ପାଇଁ ଛୁଟି ମିଳି ନ ପାରେ। ଏହି ଯୋଜନା ଅଧୀନରେ ନାଲସା ଦେଶର ବିଭିନ୍ନ ଅଦାଲତରେ ଏଭଳି ମାମଲାଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବ। ସୀମା ସୁରକ୍ଷା ବଳ (ବିଏସ୍ଏଫ୍), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍), ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ଓ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ।