ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନେ ଏବେ ସମଗ୍ର ଭାରତୀୟ ବଜାରକୁ ଦଖଲ କରିସାରିଥିବାବେଳେ ଭାରତୀୟ ସାମରିକ ବାହିନୀର ଅଫିସର ଓ ଯବାନମାନେ ବି ଚୀନ ତିଆରି ମୋବାଇଲ ବ୍ୟବହାର କରୁଛନ୍ତି । କିନ୍ତୁ ଏସବୁ ମୋବାଇଲ ମାଧ୍ୟମରେ ଗୋପନ ତଥ୍ୟ ଲିକ ହେବାର ଆଶଙ୍କା ରହିଥିବାରୁ ସାମରିକ ବାହିନୀ ପକ୍ଷରୁ ସତର୍କତା ଜାରି କରାଯାଇଛି ।
ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସାମରିକ ଗୁଇନ୍ଦା ଏଜେନ୍ସିମାନେ ଭାରତୀୟ ସୈନିକଙ୍କ ଦ୍ୱାରା ଚୀନ୍ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଏକ ଆଡଭାଇଜରି ଜାରି କରିଛନ୍ତି। ଏହି ଅଞ୍ଚଳରେ ମୁତୟନ ଥିବା ସୈନିକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ଅନ୍ୟ କମ୍ପାନିର ଫୋନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି ।
ଏହି ତାଲିକାରେ ଭାରତୀୟ ବଜାରରେ ଥିବା ଅନ୍ୟ ୧୧ଟି ଜଣାଶୁଣା ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ୍ ଯଥା ୱାନପ୍ଲସ ଓପୋ, ରିଅଲମି ଓ ସାଓମି ମୋବାଇଲ୍ ରହିଛି। ଭାରତ ପ୍ରତି ଶତ୍ରୁମନୋଭାବ ଥିବା ଦେଶମାନଙ୍କରେ ନିର୍ମିତ ମୋବାଇଲ୍ ଫୋନ୍ କିଣିବା କିମ୍ବା ବ୍ୟବହାର କରିବାରୁ ଦୂରେଇ ରହିବାକୁ ସାମରିକ କର୍ମଚାରୀ ଓ ସେମାନଙ୍କ ପରିବାରକୁ ପରାମର୍ଶ ଦିଆଯାଇଛି ।
ଏ ସମ୍ପର୍କରେ ଅବଗତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏଭଳି ଆଡଭାଇଜରି ପ୍ରଥମ ଥର ପାଇଁ ଜାରି କରାଯାଇନାହିଁ । ପୂର୍ବରୁ ମଧ୍ୟ ଏକାଧିକ ଥର ଏପରି ସତର୍କତା ଜାରି କରାଯାଇଥିଲା ।