କୋଲକାତା: ଶୀତ ଦିନେ ଭାରତ-ଚୀନ ସୀମାର ବରଫାବୃତ୍ତ ସିଆଚେନ୍ରେ କର୍ତ୍ତବ୍ୟରତ ସେନା ଯବାନଙ୍କୁ ସମୟ ସମୟରେ ବିଯୁକ୍ତ ଷାଠିଏ(-୬୦)ଡିଗ୍ରି ସେଲ୍ସିଅସ୍ ତାପମାତ୍ରାରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ପ୍ରତିବର୍ଷ ଶୀତଋତୁରେ ଭାରତର ୩,୦୦୦ ଯବାନ ପ୍ରାୟ ୩ ମାସ ଧରି ଏହି ବରଫାବୃତ୍ତ ଇଲାକାରେ ଜଗି ରହିଥାଆନ୍ତି। ଏହି ସମୟରେ ସେମାନଙ୍କୁ ଗାଧୋଇବା ସୁବିଧା ମିଳି ପାରି ନଥାଏ। କାରଣ ବରଫକୁ ଗରମ କରି ତାକୁ ପାଣିରେ ପରିଣତ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର । ଫଳରେ ସେମାନଙ୍କୁ ମାସ ମାସ ଧରି ଅଗାଧୁଆ ରହିବାକୁ ପଡ଼ିଥାଏ।
ଏହି ସମସ୍ୟାର ସମାଧାନର ସୂତ୍ର ବାହାର କରିଛି କୋଲକାତାସ୍ଥିତ ସେନାର ଇଷ୍ଟର୍ଣ୍ଣ କମାଣ୍ଡ୍ର ଗବେଷଣା ବିଭାଗ । ଆର୍ମି ଡିଜାଇନ୍ ବ୍ୟୁରୋର ଉଦ୍ୟମରେ ନୂଆଦିଲ୍ଲୀର ଆଇଆଇଟି ପ୍ରସ୍ତୁତ କରୁଛି ଏକ ଜଳବିହୀନ ଜେଲ୍ । ଏହି ଜେଲ୍ ବ୍ୟବହାର କରି ଗାଧୋଇ ପାରିବେ ସିଆଚେନ୍ରେ ସୀମା ଜଗିଥିବା ଯବାନ୍। ସୂଚନା ଅନୁସାରେ, ମାତ୍ର ୨୦ ମିଲିଲିଟର ଜେଲ୍ରେ ଜଣେ ସଂପୂର୍ଣ୍ଣ ଶରୀରକୁ ସଫା କରିପାରିବ। ଏହି ଜେଲ୍ ଯବାନମାନଙ୍କ ଲାଗି ଏକ ଆଶୀର୍ବାଦ ସ୍ୱରୂପ ଉଭା ହୋଇଛି।
ପୂର୍ବରୁ ସିଆଚେନ୍ରେ ଭାରତ-ଚୀନ୍ ନିୟନ୍ତ୍ରଣ ରେଖାରେ ଜଗୁଥିବା ଯବାନଙ୍କ ଲାଗି ସେନା ପକ୍ଷରୁ ଜଳୀୟ ଅଂଶ ନ ଥିବା ବିଭିନ୍ନ ଶୌଚସାମଗ୍ରୀ ଯୋଗାଣ କରା ଯାଉଥିଲା। ବର୍ତ୍ତମାନ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଶୌଚ ସାମଗ୍ରୀ ଯବାନମାନଙ୍କ ନିକଟରେ ପହଞ୍ଚଯିବ।
ଉଲ୍ଲେଖଯୋଗ୍ୟ କି ସିଆଚେନ୍ରେ ଶୀତ ଋତୁରେ ଯବାନଙ୍କୁ କର୍ତ୍ତବ୍ୟରତ ରଖିବା ଉଦ୍ଦେଶ୍ୟରେ ଦୈନିକ ୫ ରୁ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।