ଏକକ ନିର୍ବାଚନ:ହୋଇପାରୁନି ସହମତି ବିପକ୍ଷରେ ୯, ସପକ୍ଷରେ ୪ ବିଜେପି, କଂଗ୍ରେସ ନିରବ

ନୂଆଦିଲ୍ଲୀ: ଦେଶରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ୯ଟି ପ୍ରମୁଖ ଦଳ। ଏହି ଦଳଗୁଡ଼ିକ ମଧ୍ୟରେ ଡିଏମ୍‌କେ, ଜେଡିଏସ୍‌, ଆମ୍‌ ଆଦ୍‌ମି ପାର୍ଟି ଆଦି ରହିଛନ୍ତି। ଏହା ସମ୍ବିଧାନ ବିରୋଧୀ ବୋଲି ସେମାନେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ୪ଟି ଦଳ ଏହା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ ଦେଶର ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଚୁପ୍‌ ରହିବାକୁ ଶ୍ରେୟ ମଣିଛନ୍ତି।
ଉଲ୍ଲେଖଥାଉ କି ଲ’ କମିସନ୍‌ ଅଧ୍ୟକ୍ଷ ଜଷ୍ଟିସ୍‌ ବି ଏସ୍‌ ଚୌହାନଙ୍କ ନିକଟକୁ ଏକ ପତ୍ର ଲେଖି ବିଜେପି ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସବୁବେଳେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ତେବେ ଏହା ସପକ୍ଷରେ ଦଳ ନିଜର ବିସ୍ତତ ବିବରଣୀ ଦାଖଲ କରିବା ପାଇଁ ସମୟ ମାଗିଥିଲା। ଅନ୍ୟପକ୍ଷରେ ଜଷ୍ଟିସ୍‌ ଚୌହାନ ମଧ୍ୟ ଏହାକୁ ଗ୍ରହଣ କରି ସମସ୍ତ ପ୍ରସ୍ତାବ ଜୁଲାଇ ୩୧ ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଜେପି ଅଧିକ ସମୟ ମାଗିଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ରାଜନୈତିକ ଦଳଗୁଡ଼ିକ ସହିତ ବିଚାରବିମର୍ଶ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛି। ତେବେ ଏକକ ନିର୍ବାଚନକୁ ବିରୋଧ କରୁଥିବା ଦଳଗୁଡ଼ିକ ଗତକାଲି ଏକ ବୈଠକରେ ସାମିଲ ହୋଇଥିଲେ। ଏହା ସମ୍ବିଧାନର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସହମତ ହୋଇଥିଲେ। ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ପକ୍ଷରୁ ଏହାକୁ ସମାଲୋଚନା କରାଯାଇ କୁହାଯାଇଛି ଯେ ଗୋଟିଏ ରାଷ୍ଟ୍ରରେ ଗୋଟିଏ ନିର୍ବାଚନ କରାଇବା ଏକ ଭଲ ଚିନ୍ତାଧାରା। କିନ୍ତୁ ସମ୍ବିଧାନରେ ରହିଥିବା ନିୟମ ଅନୁସାରେ ଏହା ବ୍ୟାବହାରିକ ନୁହେଁ।

ସମ୍ବନ୍ଧିତ ଖବର