ନିଟ୍‌ ଲିକ୍ ପଛରେ ‘ସଲ୍‌ଭର’ ଗ୍ୟାଙ୍ଗ୍’: ମାଷ୍ଟରମାଇଣ୍ଡ୍‌ ଗିରଫ

ଝାଡ଼ଖଣ୍ଡରୁ ୬ ବନ୍ଧାହେଲେ

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ରବି ଅତ୍ରୀକୁ ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଗିରଫ କରିଛି। ଗ୍ରେଟର ନୋଏଡାର ନିମକା ଗାଁର ଅତ୍ରୀକୁ ଏକ ଅଜ୍ଞାତ ସ୍ଥାନରେ ଠାବ କରାଯିବା ପରେ ଗିରଫ ପାଇଁ ଏକ ସ୍ବତନ୍ତ୍ର ଅପରେସନ ହୋଇଥିଲା। ସୂଚନାଯୋଗ୍ୟ, ନିଟ୍-ୟୁଜି ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ ନମ୍ବର ରଖିବା ପରେ ବିବାଦ ଉପୁଜିଥିଲା। କେତେକ କେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଏବଂ କାଗଜ ବଣ୍ଟନରେ ବିଳମ୍ବ ହେତୁ ଗ୍ରେସ୍ ମାର୍କ ପ୍ରଦାନକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦାୟୀ କରିଛି। ତେବେ ବିହାର ପୁଲିସ ତଦନ୍ତରୁ ଜଣାପଡିଛି ଯେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପରୀକ୍ଷାପତ୍ର ଲିକ୍ ହୋଇଛି। ପାଖାପାଖି ୨୪ ଲକ୍ଷ ଆଶାୟୀ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ଥିବା ନିଟ୍-ୟୁଜି ପରୀକ୍ଷା ମେ ୫ରେ ଅନୁଷ୍ଠିତ ହୋଇଥିଲା ଏବଂ ଜୁନ୍ ୪ରେ ଫଳ ପ୍ରକାଶ ପାଇଥିଲା। ସ୍ବଚ୍ଛ ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏର ପ୍ରୟାସ ସତ୍ତ୍ବେ ବ୍ୟାପକ ଲିକ୍ ଅଭିଯୋଗ ଜାରି ରହିଥିଲା ଏବଂ ଏହାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଲା। ସୁପ୍ରିମ୍ କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଏନ୍‌ଟିଏକୁ ମାମଲାର ପରିଚାଳନା ପାଇଁ କଡ଼ା ସମାଲୋଚନା କରିଥିଲେ।

ବିଭିନ୍ନ ରାଜ୍ୟରେ ପୂର୍ବରୁ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣାଶୁଣା ରବି ଅତ୍ରି ଏହି ଦୁର୍ନୀତିର କେନ୍ଦ୍ରବିନ୍ଦୁ। ତା’ର ସଂଚାଳନରେ ‘ସଲ୍‌ଭର ଗ୍ୟାଙ୍ଗ୍’ ନାମକ ଏକ ନେଟୱର୍କ ଜରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଶ୍ନପତ୍ର ଅପଲୋଡ କରାଯାଇଥିବା ଅଭିଯୋଗ ହୋଇଛି। ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିବା ଅଭିଯୋଗରେ ୨୦୧୨ରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ମଧ୍ୟ ତାକୁ ଗିରଫ କରିଥିଲା। ଏହି ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଛାତ୍ର ଓ ସହଯୋଗୀଙ୍କ ସମେତ ଅନେକ ବ୍ୟକ୍ତିଙ୍କୁ ପ୍ରଥମେ ଗିରଫ କରିଥିବା ବିହାର ପୁଲିସ ରାଜ୍ୟ ସୀମା ବାହାରେ ମଧ୍ୟ ତଦନ୍ତ ବ୍ୟାପକ କରିଛି। ୨୦୦୭ମସିହାରେ ଅତ୍ରିର ପରିବାର ତାକୁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ କୋଟା ପଠାଇଥିଲେ। ସେ ୨୦୧୨ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପିଜିଆଇ ରୋହତକରେ ନାମ ଲେଖାଇଥିଲା, କିନ୍ତୁ ଚତୁର୍ଥ ବର୍ଷରେ ପରୀକ୍ଷା ଦେଇନଥିଲା। ଏହାପରେ ସେ ‘ପରୀକ୍ଷା ମାଫିଆ’ଙ୍କ ସହ ସଂପର୍କରେ ଆସିଥିଲେ।

ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଜି ବିହାର ପୁଲିସର ଇଓଡବ୍ଲୁ ( ଅର୍ଥନୈତିକ ଅପରାଧ ଶାଖା) ଆଉ ୬ ଜଣଙ୍କୁ ଗିରଫ କରିଛି। ଏଥିସହ ଏହି ମାମଲାରେ ଗିରଫ ସଂଖ୍ୟା ୧୯ରେ ପହଞ୍ଚିଛି। ଏକ ପୁଲିସ ଟିମ୍‌ ଆଜି ଝାଡ଼ଖଣ୍ଡର ଦେଓଘରରୁ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବ‌ା ବ୍ୟକ୍ତିମାନେ ହେଉଛନ୍ତି ପଙ୍କୁ, ପରମଜିତ ଓରଫ ବିଟ୍ଟୁ, ବଳଦେବ କୁମାର ଓରଫ ଚିଣ୍ଟୁ, ପ୍ରଶାନ୍ତ ଓରଫ କାଜୁ, ଅଜିତ , ରାଜୀବ କୁମାର ଓରଫ କାରୁ। ସେମାନଙ୍କୁ ଦେବୀପୁର ଥାନା ଅଧୀନସ୍ଥ ଅଞ୍ଚଳରୁ ଗିରଫ କରାଯାଇଛି। ପୂର୍ବରୁ ୨ ଜଣ ବ୍ୟକ୍ତି ଅୱଦେଶ କୁମାର ଏବଂ ତାଙ୍କ ପୁଅ ଅଭିଷେକ (ନିଟ୍‌ ଆଶାୟୀ)ଙ୍କୁ ମାମଲାରେ ଗିରଫ କରାଯାଇଥିଲା। ମାମଲାରେ ଅୱଦେଶ ସ୍ବୀକାର କରିଛି ଯେ ସେ ପ୍ରଶ୍ନପତ୍ର ପାଇଁ ଉକ୍ତ ମାମଲାରେ ସମ୍ପୃକ୍ତ ମାଷ୍ଟରମା‌ଇଣ୍ଡ୍‌ ସିକନ୍ଦର ୟଦବେନ୍ଦୁଙ୍କୁ ୪୦ ଲକ୍ଷ ଦେଇଥିଲା। କର୍ତ୍ତୃପକ୍ଷ ଏହା ବିଶ୍ବାସ କରୁଛନ୍ତି ଯେ ଅୱଦେଶ ପୂର୍ବରୁ ଝାଡ଼ଖଣ୍ଡର ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲା। ଏଠାରେ ହିଁ ସିକନ୍ଦର ଯାଦବେନ୍ଦୁଙ୍କ ସହ‌ ତା’ର ଚିହ୍ନା ହୋଇଥିଲା। ତେବେ ପୂର୍ବରୁ କଣ୍ଟ୍ରାକ୍ଟର ଥିବା ସିକନ୍ଦର ଏବେ ଦନାପୁର ମୁନିସିପାଲ୍‌ କାଉନସିଲ୍‌ରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ସେ ବିପୁଳ ସମ୍ପତ୍ତିର ମାଲିକ ବୋଲି ଜଣାପଡ଼ିଛି। ବିହାର ଇଓଡବ୍ଲ୍ୟୁ ସିକନ୍ଦର ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବେ। ଉଲ୍ଲେଖଯୋଗ୍ୟ‌, ବିହାର ପୁଲିସ ଦ୍ବାରା ପୂର୍ବରୁ ଏହି ମାମଲାରେ ୧୩ ଜଣ ଗିରଫ ହୋଇଥିବାବେଳେ ଆଜି ପୁଣି ୬ ଜଣ ଗିରଫ ହୋଇଛନ୍ତି। ମାମଲାରେ ମୋଟ୍‌ ୧୯ ଜଣ ଗିରଫ ହେଲେଣି।

ସମ୍ବନ୍ଧିତ ଖବର