ମୋଗାଦିଶୁ: ଦୀର୍ଘ ୩୦ ଘଣ୍ଟା ଲଢ଼ିବା ପରେ ସୋମାଲିଆର ରାଜଧାନୀ ମୋଗାଦିଶୁରେ ‘ଅଲ୍-ଶବାବ୍’ ଆତଙ୍କବାଦୀମାନଙ୍କ କବଳରୁ ‘ହାୟାତ୍ ହେଟେଲ୍’କୁ ମୁକ୍ତ କରାଯାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ସେହିପରି, ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଡଜନାଧିକ ଲୋକଙ୍କୁ ମଧ୍ୟ ମୁକ୍ତ କରାଯାଇଛି।
ଆତଙ୍କବାଦୀମାନଙ୍କ ନିୟନ୍ତ୍ରଣରେ ଥିବା ଉକ୍ତ ହୋଟେଲ୍ରେ ଅନ୍ୟୂନ ୨୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୧୭ଜଣ ଆହତ ହୋଇଥିବା କଥା ସ୍ବାସ୍ଥ୍ୟମନ୍ତ୍ରୀ ଅଲି ହାଜି ରାଷ୍ଟ୍ରାୟତ ପ୍ରସାରଣ ସଂସ୍ଥାନ ‘ଏସ୍ଏନ୍ଟିଭି’କୁ କହିଛନ୍ତି।
ସେ ପୁଣି କହିଛନ୍ତି, ଡାକ୍ତରଖାନାରୁ ମୃତାହାତଙ୍କ ସଂଖ୍ୟା ସଂଗ୍ରହ କରାଯାଇଛି। କେତେକ ଶବକୁ ଡାକ୍ତରଖାନା ନ ନେଇ ଆତ୍ମୀୟସ୍ବଜନମାନେ ପୋତି ମଧ୍ୟ ପକାଇଥାଇ ପାରନ୍ତି।
Image Courtesy of India Todayଆତଙ୍କବାଦୀମାନଙ୍କ କବଳରୁ ହୋଟେଲ୍କୁ ମୁକ୍ତ କରିବା ଲାଗି ଚାଲିଥିବା ସାମରିକ ଅଭିଯାନ ସମୟରେ ୩ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଛି। ଏହାଛଡ଼ା, ରବିବାର ସକାଳେ ସାଧାରଣ ନାଗରିକମାନଙ୍କ ଗହଣରେ ମିଶି ଯିବାକୁ ଉଦ୍ୟମ କରୁଥିବା ଆଉ ଜଣେ ଆକ୍ରମଣକାରୀଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଛି। ସମୁଦାୟ କେତେ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ବୋଲି ହସନ୍ ନାମରେ ଜଣେ ପୁଲିସ କ୍ୟାପ୍ଟେନ୍ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଦୁଇଟି କାର୍ ବୋମା ବିସ୍ଫୋରଣ କରି ‘ହାୟାତ୍ ହେଟେଲ୍’ରେ ଆକ୍ରମଣ କରିଥିଲେ। ଏହାପରେ ସେମାନେ ଗୁଳି ଫୁଟାଇ ଭିତରେ ପ୍ରବେଶ କରିବା ସହ ହୋଟେଲ୍କୁ ନିୟନ୍ତ୍ରଣାଧୀନ କରିଥିଲେ।
ଏହି ଆକ୍ରମଣ ପାଇଁ ‘କାଏଦା’ର ସହଯୋଗୀ ଆତଙ୍କବାଦୀ ସଙ୍ଗଠନ ‘ଅଲ୍-ଶବାବ୍’ ଗୋଷ୍ଠୀ ଦାୟୀ ବୋଲି ଏକ ବିବୃତିରେ କହିଥିଲା। ସୋମାଲି ସରକାରକୁ ହଟାଇବା ପାଇଁ ୧୦ ବର୍ଷରୁ ଅଧିକ କାଳ ହେବ ‘ଅଲ୍-ଶବାବ୍’ ଉଦ୍ୟମ କରି ଆସୁଛି। କଠୋର ଇସ୍ଲାମୀୟ ଆଇନଭିତ୍ତିକ ନିଜସ୍ବ ଶାସନ ଚଳାଇବା ପାଇଁ ‘ଅଲ୍-ଶବାବ୍’ ଏଭଳି ଉଦ୍ୟମ କରୁଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ‘ହୋଟେଲ ହାୟାତ୍’ରେ ସାଂସଦ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଏକତ୍ର ହୁଅନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/b222d063-7626-4c70-b3cb-7861db9a14a0.jpg)