ଚଣ୍ଡିଗଡ଼: ଚଣ୍ଡିଗଡ଼ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଆଇପିଏସ୍ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାର ତଦନ୍ତକୁ ଜୋରଦାର କରିଛି। ଏବେ ସୁଦ୍ଧା ୫ ଜଣରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ ହୋଇ ସାରିଲାଣି। ସେମାନେ ସମସ୍ତେ ହେଉଛନ୍ତି ଆଇପିଏସ୍ଙ୍କ କର୍ମଚାରୀ। ତେବେ ଜାଣିବାକୁ ମିଳିଛି ଯେ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ଓକିଲଙ୍କ ସହ କଥା ହୋଇଥିଲେ ଆଇପିଏସ୍ ପୁରନ ସିଂହ।
ଏବେ ତଦନ୍ତକାରୀ ଦଳ ଆଇପିଏସ୍ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀ, ତାଙ୍କ ଦୁଇ ଝିଅ, ତାଙ୍କ ଭାଇ ଅମିତ ରତ୍ନା (ପଞ୍ଜାବର ଆମ ଆଦମୀ ପାର୍ଟିର ବିଧାୟକ) ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ବୟାନ ରେକର୍ଡ କରିବ।
ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା ସମୟରେ ଆଇପିଏସ୍ ପୁରନ କୁମାରଙ୍କ ଝିଅ ଘରେ ଉପସ୍ଥିତ ଥିଲେ। ସେ ପ୍ରଥମେ ତାଙ୍କ ବିଧାୟକ କାକା ଅମିତ ରତ୍ନାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ସୂତ୍ର ଅନୁଯାୟୀ, ଆଇପିଏସ୍ ପୁରନ କୁମାରଙ୍କ ବିଧାୟକ ଭାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଘଟଣାସ୍ଥଳକୁ ପ୍ରବେଶ କରିବାକୁ ମନା କରିଥିଲେ। ଏବେ ସୁଇସାଇଡ ନୋଟର ପ୍ରତ୍ୟେକ ପୃଷ୍ଠାରେ ପୁରନ କୁମାରଙ୍କ ଦସ୍ତଖତର ତଦନ୍ତ ଚାଲିଛି।
ଏସ୍ଆଇଟି ପୁରନ କୁମାରଙ୍କ ଦୁଇଟି ମୋବାଇଲ୍ ଫୋନ୍ ଉଦ୍ଧାର କରି ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଛି। ସେହି ମୋବାଇଲ୍ରେ ସେ ଜଣେ ଓକିଲଙ୍କ ସହ କଥା ହୋଇଥିଲେ। ଘଟଣାସ୍ଥଳରୁ ଏକ ୯ଏମ୍ଏମ୍ ପିସ୍ତଲ, ଏକ ଖାଲି କାରତୁସ ଉଦ୍ଧାର କରାଯାଇ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଇଛି। ଆଇପିଏସ ପୁରଣ କୁମାରଙ୍କ ଆତ୍ମହତ୍ୟା ନୋଟର ପ୍ରତ୍ୟେକ ପୃଷ୍ଠାରେ ଥିବା ଦସ୍ତଖତକୁ ଜଣେ ହସ୍ତଲେଖା ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି।