ନୂଆଦିଲ୍ଲୀ: ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ମିଳିପାରେ ଅନୁମତି । ସିରମ୍ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଏଥି ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଲାଗି ଆବେଦନ କରିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା ‘କୋଭାସିଲ୍ଡ’ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତ ‘କୋଭାକ୍ସିନ୍’ର ଜରୁରୀ ବ୍ୟବହାର ଲାଗି ଆବେଦନକୁ ବିଚାର କରାଯାଉଛି।
ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ଭାରତ ବାୟୋଟେକ୍ ହେଉଛି ତୃତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ଯାହା ଭାରତରେ ଏହାର କୋଭିଡ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ ଟିକା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି । ସେପଟେ ଫାଇଜର ଇଂଲଣ୍ଡରେ ଏହି ଅନୁମତି ପାଇସାରିଛି।
ସେହିପରି ବ୍ରିଟେନରେ ଆଜି କୋଭିଡ୍ ମୁକାବିଲା ଲାଗି ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/6-10.jpg)