ବେଳେବେଳେ ଭାବୁଛି ରାଜନୀତି ଛାଡ଼ିଦେବି: ନୀତିନ ଗଡ଼କରୀ

ନାଗପୁର: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ରାଜନୀତି କରିବା ସଂପର୍କରେ ଦେଇଥିବା ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଡ଼କରୀ କହିଛନ୍ତି, ବେଳେବେଳେ ସେ ରାଜନୀତି ଛାଡ଼ିଦେବା କଥା ଭାବନ୍ତି। କାରଣ ରାଜନୀତି ଛଡ଼ା ସମାଜ ପାଇଁ ଆହୁରି ଅନେକ କିଛି କରିବା ପାଇଁ ଅଛି। ଗଡ଼କରୀ ବର୍ତ୍ତମାନର ରାଜନୀତିକୁ ନେଇ ଖୁସି ଥିବା ଭଳି ମନେ ହେଉଛି। ସେଥିପାଇଁ ସେ କହିଛନ୍ତି, ବର୍ତ୍ତମାନର ରାଜନୀତି ସାମାଜିକ ପରିବର୍ତ୍ତନ ଏବଂ ବିକାଶର ବାହକ ହେବା ବଦଳରେ କେବଳ କ୍ଷମତାରେ ରହିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ରାଜନୀତିକୁ ଆମେ ଭଲଭାବେ ବୁଝିବା ଉଚିତ। ବାସ୍ତବରେ ଏହା ସମାଜ ଓ ଦେଶର ମଙ୍ଗଳ ପାଇଁ ନା କେବଳ ସରକାରରେ ରହିବା ପାଇଁ ଉଦ୍ଦିଷ୍ଟ ତାହା ଜାଣିବା ଆବଶ୍ୟକ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମୟରୁ ରାଜନୀତି ସାମାଜିକ ଆନ୍ଦୋଳନର ଏକ ଅଂଶ ଥିଲା। କିନ୍ତୁ ଏବେ ଆମେ ରାଜନୀତିର ଅର୍ଥ ପାଲଟି ଯାଇଛି ଶତ ପ୍ରତିଶତ କ୍ଷମତାକୁ ଆସିବା। ରାଜନୀତି ସାମାଜିକ ଓ ଅର୍ଥନୈତିକ ସଂସ୍କାର ଏକ ପ୍ରକୃତ ମାଧ୍ୟମ। ତେଣୁ ବତ୍ମାର୍ତ୍ତମାନ ରାଜନେତାମାନେ ଶିକ୍ଷା, କଳା ଆଦିର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଗଡ଼କରୀ ମତ ଦେଇଛନ୍ତି।

ସାମାଜିକ କର୍ମୀ ଗିରିଶ ଗାନ୍ଧିଙ୍କୁ ସମ୍ମାନିତ କରିବାପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିନ ଏହି ଟିପ୍ପଣୀ ଦେଇଛନ୍ତି। ପୂର୍ବତନ ଏମଏଲସି ଗିରିଶ ଗାନ୍ଧି ପୂର୍ବରୁ ଏନ୍‌ସିପିରେ ଥିଲେ। କିନ୍ତୁ ୨୦୧୪ରେ ସେ ରାଜନୀତି ଛାଡ଼ି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗଡ଼କରୀ ପୂର୍ବତନ ‌ମନ୍ତ୍ରୀ ସ୍ବର୍ଗତଃ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି। ଅନ୍ୟକୁ ଅନୁପ୍ରାଣୀତ କରିବା ଭଳି ସାଧାରଣ ଜୀବନ ସେ ଜିଉଁଥିଲେ। ମୋ ପାଇଁ ଲୋକମାନେ ବଡ଼ ଫୁଲତୋଡ଼ା ଆଣିଲେ କିମ୍ବା ବଡ଼ ପୋଷ୍ଟର ଲଗାଇଲେ ମୋତେ ତାହା ଭଲ ଲାଗେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର