କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଆଗମୀ ଦିନରେ ତାଙ୍କ ପିଉସୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର କୁନାଲ ଘୋଷ ସୋମବାର କହିଛନ୍ତି। ହୁଗୁଳି ଜିଲ୍ଲାର ଚୁଚୁରାଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ୨୦୩୬ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ଏବଂ ତା’ପରେ ତାଙ୍କ ଭାଇଙ୍କ ପୁଅ ଅଭିଷେକ ବାନାର୍ଜୀ ତାଙ୍କ ସ୍ଥାନ ନେବେ।

Advertisment

ଆମେ ମମତା ଦିଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବୁ ଏବଂ ଅଭିଷେକ ବାନାର୍ଜୀ ଆମର ସେନାପତି ଭୂମିକା ତୁଲାଇବେ। ମମତା ୨୦୩୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ଏବଂ ତା’ପରେ ଅଭିଷେକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଟିଏମ୍‌ସି ମୁଖପାତ୍ର କହିଛନ୍ତି। ଟିଏମ୍‌ସିର ଆଭ୍ୟନ୍ତରୀଣ ଗତିବିଧିରେ ଅସଙ୍ଗତି ନେଇ ‘ଗୁଜବ’କୁ ବନ୍ଦ କରିବାକୁ ସେ ଆହ୍ବାନ ଦେଇଥିଲେ। ବିରୋଧୀଙ୍କୁ କଡ଼ା ସମାଲୋଚନା କରି ଘୋଷ କହିଛନ୍ତି, ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ଯେଉଁମାନେ ଦିବାସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ବପ୍ନ କେବେ ବି ପୂରଣ ହୋଇପାରିବ ନାହିଁ।