ପୁଅ ପିତାଙ୍କ ନାମ ପଚାରିବାରୁ ୨୭ ବର୍ଷ ତଳର ୨ ଦୁଷ୍କର୍ମକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା

ଶାହଜାହାନପୁର (ଉତ୍ତରପ୍ରଦେଶ) : ଜଣେ ଯୁବକ ନିଜ ପିତୃପରିଚୟ ମାଗିବାରୁ ତାଙ୍କ କୁଆଁରୀ ମାଆ ୨୭ ବର୍ଷ ତଳର ଦୁଷ୍କର୍ମର ଶିକାର ହୋଇଥିବା ସମ୍ପର୍କରେ ଅଭିଯୋଗ ଆଣିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅଭିଯୋଗ ସୂଚନାନୁଯାୟୀ, ନବେ ଦଶକରେ ଉଦ୍ଧାମପୁରର ଉକ୍ତ ପୀଡ଼ିତା ନାବାଳିକା(ସେତେବେଳେ ୧୨ ବର୍ଷ) ଶାହାଜାହାନପୁର ସ୍ଥିତ ନିଜ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲେ। ସେମାନଙ୍କ ଅନୁପସ୍ଥିତିରେ ନାକି ହାସନ ନାମକ ଜଣେ ପଡ଼ୋଶୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଏପରିକି ଅଭିଯୁକ୍ତ ସହ ତା’ର ସାନଭାଇ ଗୁଡ୍ଡୁ ମଧ୍ୟ ବାରମ୍ବାର ଅନୁରୂପ କାମନାବାସନା ଚରିତାର୍ଥ କରିଥିଲା। ୧୯୯୪ ମସିହା ବେଳକୁ ପୀଡ଼ିତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଲୋକଲଜ୍ଜା ଦୃଷ୍ଟିରୁ ଉକ୍ତ ଶିଶୁକୁ ଜଣେ ସମ୍ପର୍କୀୟଙ୍କ ପାଖରେ ଛାଡ଼ିଦେଇ ପୀଡ଼ିତାଙ୍କୁ ଅନ୍ୟତ୍ର ବିବାହ କରାଇ ଦିଆଯାଇଥିଲା। ମାତ୍ର ବିବାହର ୧୦ ବର୍ଷ ପରେ ତାଙ୍କ ସ୍ବାମୀ ଅତୀତର ଦୁଷ୍କର୍ମ କଥା ଜାଣିପାରି ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ଉକ୍ତ ଶିଶୁଟି ଯୁବକ ହୋଇ ନିଜର ପିତୃପରିଚୟ ଖୋଜିଥିଲେ। ମାତ୍ର ତାଙ୍କୁ ପାଳିଥିବା ସମ୍ପର୍କୀୟ କେବଳ ମାଆଙ୍କ ବିଷୟରେ କହିଥିଲେ। ପରେ ସେ ପୀଡ଼ିତା ମାଆଙ୍କୁ ପଚାରିବାରୁ ସବୁ କଥା ପଦାକୁ ଆସିଥିଲା। ଏବେ ଅଭିଯୁକ୍ତ ଦୁଇ ଭାଇଙ୍କ ବିରୋଧରେ ପୁଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର