ଚେନ୍ନାଇ : ମା’ର ସ୍ଥାନ ଜୀବନରେ ସବୁଠୁ ଉଚ୍ଚରେ। ମା’ ପ୍ରତି ଭଲପାଇବା କେବେ କମେନା। ମା’ ପାଖରେ ଥାଉ ବା ନଥାଉ ମା’ର ଆର୍ଶୀବାଦ କିନ୍ତୁ ପିଲା ଉପରେ ସବୁବେଳେ ରହିଥାଏ। ଜୀବନର ପ୍ରତିଟି କ୍ଷେତ୍ରରେ ମା’ର ସାହସ ଏବଂ ମା’ର ସଂଘର୍ଷ ପିଲାଙ୍କୁ ଶକ୍ତି ଯୋଗାଇଥାଏ। ଜୀବନରେ ଆଗକୁ ବଢ଼ିବାର ବାଟ ଦେଖାଇଥାଏ। ଚେନ୍ନାଇର ଅମରୁଦ୍ଦିନ ଶେଖ୍ ଦାଉଦ ସାହେବ ମଧ୍ୟ ଜୀବନର ପ୍ରତିଟି କ୍ଷେତ୍ରରେ ମା’ର ମୂଲ୍ୟକୁ ବୁଝିଛନ୍ତି। କାରଣ ସେ ଯାହା ବି ହୋଇଛନ୍ତି କେବଳ ତାଙ୍କ ମା’ ପାଇଁ। ଅମରୁଦ୍ଦିନ ଶେଖ୍ ଦାଉଦ ସାହେବ ଜଣେ ସଫଳ ହାର୍ଡୱେୟାର ବ୍ୟବସାୟୀ। ମା’ ଆଜି ତାଙ୍କ ପାଖରେ ନାହାନ୍ତି। କିନ୍ତୁ ମା’ ପ୍ରତି ଥିବା ତାଙ୍କ ନିଆରା ଭଲପାଇବା ପାଇଁ ସେ ମା’ଙ୍କ ସ୍ମୃତିରେ ଏକ ମିନି ତାଜମହଲ ନିର୍ମାଣ କରିଛନ୍ତି। ଏହି ମିନି ତାଜମହଲଟି ଅମରୁଦ୍ଦିନ ତାଙ୍କ ପୈତୃକ ଗାଁ ତାମିଲନାଡୁର ତିରୁବରୁରରେ ନିର୍ମାଣ କରିଛନ୍ତି। ସେ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଅମରୁଦ୍ଦିନଙ୍କ ବାପା ଅବଦୁଲ କଦେର ସେକ ଦାଉଦ ମଧ୍ୟ ଚେନ୍ନାଇରେ ବ୍ୟବସାୟ କରୁଥିଲେ। କିନ୍ତୁ ପିଲାମାନେ ଅତି ଛୋଟ ହୋଇଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା। ଅବଦୁଲଙ୍କର ୫ଟି ସନ୍ତାନ। ସେମାନଙ୍କ ମଧ୍ୟରେ ଅମରୁଦ୍ଦିନ ଏକମାତ୍ର ପୁଅ। ଅମରୁଦ୍ଦିନଙ୍କ ମା’ ଜୈଲାନି ବିବିଙ୍କ ମନୋବଳ ଅତି ଦୃଢ଼। ସ୍ବାମୀଙ୍କ ଚମଡ଼ା ବ୍ୟବସାୟ ପରିଚାଳନା କରିବା ସହ ସେ ୫ ପିଲାଙ୍କୁ ଅତି ସଂଘର୍ଷ କରି ବଢ଼ାଇଲେ। ସବୁ ପିଲମାନେ ବଡ଼ ହେଲେ। ତାଙ୍କର ୪ ଝିଅ ବିବାହ କଲେ। ଅମରୁଦ୍ଦିନ ମଧ୍ୟ ବିବାହ କଲେ। ତେବେ ୨୦୨୦ରେ ଜୈଲାନି ବିବିଙ୍କ ଦେହାନ୍ତ ହୋଇଗଲା। ଏହା ଅମରୁଦ୍ଦିନଙ୍କ ଜୀବନରେ ସବୁଠୁ ବଡ଼ ଝଟ୍କା ଥିଲା। ତାଙ୍କ ମା’ଙ୍କର ଅମାବାସ୍ୟାରେ ମୃତ୍ୟୁ ହୋଇଥିଲା। ତେଣୁ ପ୍ରତି ଅମାବାସ୍ୟାରେ ସେ ୧୦୦୦ ଲୋକଙ୍କୁ ବିରିୟାନି ଭୋଜି ଦିଅନ୍ତି। ଖାଲି ସେତିକି ନୁହେଁ ମା’ ପାଇଁ ସେ ତାଜମହଲ ନିର୍ମାଣ କରିଛନ୍ତି। ରାଜସ୍ଥାନରୁ ମାର୍ବଲ ମଗାଇ ତାମିଲନାଡ଼ୁର ପୈତୃକ ଗ୍ରାମରେ ସେ ୧ ଏକର ଜମି କିଣି ତାଜହମଲ ନିର୍ମାଣ କରିଛନ୍ତି।