ପିତାମାତାଙ୍କ ଜୀବଦ୍ଦଶାରେ ପୁଅ ତାଙ୍କ ସମ୍ପତ୍ତି ଦାବି କରିପାରିବନି: ବମ୍ବେ ହାଇକୋର୍ଟ

ମୁମ୍ବାଇ : ଶନିବାର ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥାଉ ଥାଉ ତାଙ୍କ ନାମରେ ଥିବା ଫ୍ଲାଟ ଉପରେ ପୁଅ ନିଜର ଅଧିକାର ଦାବି କରିପାରିବ ନାହିଁ।

ସୋନିଆ ଖାନ୍ ନାମ୍ନୀ ଜନୈକା ମହିଳା ଦୀର୍ଘକାଳ ଧରି ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ଥିବା ତାଙ୍କ ସ୍ବାମୀଙ୍କ ସମ୍ପତ୍ତିର ଆଇନଗତ ତତ୍ତ୍ବାବଧାରିକା ଭାବେ ତାଙ୍କୁ ଘୋଷଣା କରାଯିବାକୁ ଦାବି ‌କରି କୋର୍ଟରେ ଆବେଦନ କରିଥିଲେ। ସୋନିଆଙ୍କ ପୁଅ ଆସିଫ ଖାନ୍ ତାଙ୍କ ବାପାଙ୍କର ‘ଡି-ଫ୍ୟାକ୍ଟୋ ଗାର୍ଡିଆନ’ ବୋଲି ଦାବି କରି ଏକ ଆବେଦନ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ବାପା-ମାଆ ଜୀବିତ ଥିଲେ ମଧ୍ୟ ଉଭୟଙ୍କ ନାମରେ ଗୋଟିଏ କରି ଦୁଇଟି ଫ୍ଲାଟ ଅଛି। ତେଣୁ ତାଙ୍କୁ ଉଭୟ ଫ୍ଲାଟର ବା ଅତି କମ୍‌ରେ ଗୋଟିଏ ଫ୍ଲାଟର ଆଇନଗତ ଅଧିକାର ଦିଆଯିବା ଉଚିତ।

ଜଷ୍ଟିସ୍ ଗୌତମ ପଟେଲ ଓ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ ଯେ, ପୁଅ ବାପାମାଆଙ୍କ ସେବା କରିଥିବାର କୌଣସି ପ୍ରମାଣ ନାହିଁ। ବାପାମାଆ ଗୋଟିଏ ଜାଗାରେ ତ ପୁଅ ଆଉ କେଉଁଠି ରହୁଛି। ପୁଣି ଭାରତୀୟ ଉତ୍ତରାଧିକାର ଆଇନରେ କେଉଁଠି ଲେଖା ନାହିଁ ଯେ ବାପାମାଆ ଜୀବିତ ଥିବା ବେଳେ ପୁଅ ତାଙ୍କ ସମ୍ପତ୍ତି ଦାବି କରିପାରିବ। ତେଣୁ ବାପାମାଆ ଜୀବିତ ଥିବା ପର୍ଯ୍ୟନ୍ତ ବାପା ଓ ମାଆଙ୍କ ନାମରେ ଥିବା ଦୁଇଟି ଫ୍ଲାଟ ମଧ୍ୟରୁ କୌଣସିଟିରେ ଆସିଫଙ୍କର ଅଧିକାର ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର