ଲକ୍ଷ୍ନୌ: ବଂଶ ଶୂନ୍ୟ କରିଦେଲେ ଭଗବାନ। ଦେଢ଼ ମାସ ଭିତରେ ସ୍ବାମୀ-୨ପୁଅକୁ ହରାଇଲେ ମହିଳା। ଲକ୍ଷ୍ନୌର ଅଲିଗଞ୍ଜରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ମୌସମବାଗ ଅଞ୍ଚଳରେ ସୋମବାର ସକାଳେ ଜଣେ ୨୫ବର୍ଷ ବୟସ୍କ ଯୁବକ ଘର ଭିତରେ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଥିଲେ। ପୁଅର ମୃତଦେହ ଦେଖି ମା’ଙ୍କର ହୃଦଘାତ ହୋଇଥିଲା ବୋଲି କୁହାଯାଉଛି। ସମ୍ପର୍କୀୟମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ୨୫ବର୍ଷୀୟ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ହେଲା ଦେଢ଼ମାସ ତଳେ ମହିଳାଜଣକ ନିଜ ସ୍ବାମୀ ଓ ସାନପୁଅକୁ ହରାଇଥିଲେ। ବଡ଼ ପୁଅର ସାହାରା ନେଇ ବାକି ଜୀବନ କାଟିବେ ବୋଲି ମହିଳାଜଣକ ଭାବିଥିବା ବେଳେ ‌ସୋମବାର ତାଙ୍କର ସେହି ଆଶା ମଉଳି ଯାଇଥିଲା।

Advertisment

ମୂଳତଃ ସୀତାପୁରର କମଲାପୁର ବାସିନ୍ଦା ସୁରଜ ପ୍ରତାପ ସିଂ ତାଙ୍କ ପତ୍ନୀ ରୁବି ଏବଂ ଦୁଇ ପୁଅ ଶ୍ରୀକାନ୍ତ ସିଂ ଏବଂ କୃଷ୍ଣକାନ୍ତ ସିଂଙ୍କ ସହ ଲକ୍ଷ୍ନୌର ମୌସମବାଗରେ ରହୁଥିଲେ। ମାର୍ଚ୍ଚ ୩୧ରେ କୃଷ୍ଣକାନ୍ତ (୧୮)ଙ୍କ ହୃଦଘାତ ହୋଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ଦୁଃଖିତ ହୋଇ ସୁରଜ ପ୍ରତାପ ସିଂ ଘରେ ପହଞ୍ଚିବା ମାତ୍ରେ ଲାଇସେନ୍ସପ୍ରାପ୍ତ ରାଇଫଲ ସାହାଯ୍ୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଗୋଟିଏ ଦିନରେ ଘରର ୨ଜଣ ସଦସ୍ୟଙ୍କୁ ହରାଇବା ପରେ ରୁବି ଓ ଶ୍ରୀକାନ୍ତ ଭାଙ୍ଗିପଡ଼ିଥିଲେ। ହେଲେ କାହାକୁ ଜଣାନଥିଲା ଯେ, ଏହି ଦୁଃଖ ଆଉ ଏକ ଜୀବନ ନେଇଯିବ।

ଅଲିଗଞ୍ଜ ଇନ୍ସପେକ୍ଟର ନାଗେଶ ଉପାଧ୍ୟାୟ କହିଛନ୍ତି ଯେ ସୋମବାର ସକାଳେ ଶ୍ରୀକାନ୍ତ ଖଟ ଉପରେ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ରୁବି ତଳେ ଅଚେତ ହୋଇ ପଡ଼ିଥିଲେ। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ ଶ୍ରୀକାନ୍ତ ବିଷାକ୍ତ ପଦାର୍ଥ ଖାଇଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ରୁବିଙ୍କର ହୃଦଘାତ ହୋଇଥିବାରୁ ସେ ଅଚେତ ହୋଇପଡ଼ିଥିବା ଡାକ୍ତର ଜଣାଇଥିଲେ। ବାପା ଓ ଭାଇଙ୍କ ମୃତ୍ୟୁକୁ ଗ୍ରହଣ ନକରିପାରି ଶ୍ରୀକାନ୍ତ ଏଭଳି କରିଥିବା ସନ୍ଦେହ କରାଯାଉଛି।