ନୂଆଦିଲ୍ଲୀ: ୨୯ ବର୍ଷୀୟ ଜିମ୍ ଟ୍ରେନର ଗୌରବ ସିଂଘଲଙ୍କୁ ବିବାହର କିଛି ଘଣ୍ଟା ପୂର୍ବରୁ ବୁଧବାର ଦକ୍ଷିଣ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ତାଙ୍କ ମୁହଁ ଓ ଛାତିରେ ୧୫ ଥର ଛୁରି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଗୌରବଙ୍କୁ ଆଉ କେହି ନୁହେଁ, ତାଙ୍କ ବାପା ରଙ୍ଗଲାଲ ସିଂଘଲ ହିଁ ଛୁରିମାଡ଼ କରି ହତ୍ୟା କରିଛନ୍ତି।
ଏହି ଘଟଣା ପରେ ନିଖୋଜ ହୋଇ ଯାଇଥିବା ରଙ୍ଗଲାଲଙ୍କୁ ପୁଲିସ ସନ୍ଧ୍ୟା ସୁଦ୍ଧା ଜୟପୁରରୁ ଗିରଫ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛି। ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପୁଲିସକୁ ଏକ ଫୋନ୍ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ଗୌରବ ସିଂଘଲଙ୍କୁ ଛୁରିରେ ଆକ୍ରମଣ କରାଯାଇଛି ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନେଇଥିଲେ।
ଗୁରୁବାର ଗୌରବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାର ଥିଲା ବୋଲି ପୁଲିସ କହିଛି। ତେବେ ସନ୍ଦେହ କରାଯାଉଛି ଯେ ଗୌରବ ଅନ୍ୟ ଝିଅକୁ ବିବାହ କରିବାକୁ ଚାହୁଥିଲେ, କିନ୍ତୁ ପାରିବାରିକ ଚାପରେ ବିବାହ ପାଇଁ ରାଜି ହୋଇଥିଲେ। ଏହାକୁ ନେଇ ଗୌରବଙ୍କର ତାଙ୍କ ବାପାଙ୍କ ସହ ବାରମ୍ବାର ଯୁକ୍ତିତର୍କ ହୋଇଥିଲା।
ଅନ୍ୟପକ୍ଷରେ ବରିଷ୍ଠ ପୁଲିସ ଅଧିକାରୀ ଅଙ୍କିତ ଚୌହାନ କହିଛନ୍ତି ଯେ ଗୌରବଙ୍କ ବାପା ରଙ୍ଗଲାଲ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୧୫ ଲକ୍ଷ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ। ସେମାନେ ସନ୍ଦେହ କରୁଛନ୍ତି ଯେ ଗୌରବଙ୍କ ସହ ରଙ୍ଗଲାଲଙ୍କର ଯୁକ୍ତିତର୍କ ହୋଇଥିଲା, ଏହି ସମୟରେ ଗୌରବ ତାଙ୍କ ବାପାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ କ୍ରୋଧିତ ହୋଇ ରଙ୍ଗଲାଲ ନିଜ ୩ ସହଯୋଗୀଙ୍କ ସହ ମିଶି ଗୌରବଙ୍କୁ ହତ୍ୟା କରି ନଗଦ ଟଙ୍କା ଓ ଅଳଙ୍କାର ନେଇ ଘରୁ ଫେରାର ହୋଇଯାଇଥିଲେ। ହତ୍ୟାପଛର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି।