ପାଞ୍ଚ ବର୍ଷ ପରେ ମାଆଙ୍କୁ ଭେଟି କାନ୍ଧରେ ଟେକି ନେଲେ ପୁଅ; ଗାଡ଼ିରେ ବସାଇ ସହର ବୁଲାଇଲେ

ନୂଆଦିଲ୍ଳୀ: ମହାମାରୀ ହେତୁ ବିଦେଶରେ ରହୁଥିବା ଅନେକ ଲୋକ ନିଜ ଦେଶକୁ ଫେରିପାରିନଥିଲେ। ଯାହାଫଳରେ ପରିବାର ଏବଂ ବନ୍ଧୁମାନଙ୍କଠାରୁ ଦୀର୍ଘ ସମୟ ଦୂରରେ ରହିବାକୁ ପଡୁଥିଲା। ଏହି କାରଣରୁ ଜଣେ ପୁଅ ନିଜ ମାଆଠାରୁ ପାଞ୍ଚ ବର୍ଷ ଧରି ଦୂରରେ ରହିଥିଲେ। ପାଞ୍ଚ ବର୍ଷ ପରେ ସ୍ୱିଜରଲ୍ୟାଣ୍ଡରୁ ଫେରିଥିବା କେରଳର ରୋଜାନ୍ ପାରାମିଲ ତାଙ୍କ ବୃଦ୍ଧ ମାଆଙ୍କୁ ଭେଟିବା ପରେ ପରିବେଶ ଭାବପ୍ରବଣ ହୋଇ ଉଠିଥିଲା। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଅ ଜଣକ ଦୁର୍ବଳ ହୋଇ ଯାଇଥିବା ତାଙ୍କ ମାଆଙ୍କୁ କାନ୍ଧରେ ଟେକି ନେଇଥିଲେ ଓ ଗାଡ଼ିରେ ବସାଇ ଦେଇଥିଲେ। ତାପରେ ମାଆଙ୍କୁ ନେଇ ଏକ ରୋଡ୍‌ ଟ୍ରିପ୍‌ରେ ଯାଇଥିଲେ। ଏହି ଭିଡିଓ ହ୍ୟୁମାନ୍ସ ଅଫ୍ କେରଲମ୍‌ର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।

 

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ବୃଦ୍ଧ ମା’ଙ୍କୁ କାନ୍ଧରେ ନେଇ କାରରେ ବସିଥିବାର ନଜର ଆସିଛନ୍ତି। ମା ଏହି ଯାତ୍ରାକୁ ଉପଭୋଗ କରୁଥିବା ପରି ବି ମନେ ହେଉଥିଲା। ଏହି ଯାତ୍ରା ସମୟରେ ମା-ପୁଅ ଯୋଡି ଫଟୋ ବି କ୍ଲିକ୍‌ କରିଥିଲେ।

ପୁଅ ଜଣକ କହିଛନ୍ତି ଯେ କିଛି ବର୍ଷ ତଳେ ସେ ତାଙ୍କର “ଆମାଚି” ବା ମାଆଙ୍କୁ ସ୍ୱିଜରଲ୍ୟାଣ୍ଡକୁ ନେଇ ସବୁକିଛି ଦେଖାଇଲେ। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟ ଏବଂ ବୃଦ୍ଧାବସ୍ଥା ହେତୁ ସେ ଆଉଥ ଥରେ ସେଠାକୁ ନେଇପାରିବେ ନାହିଁ। ହେଲେ କେରଳର କିଛି ସ୍ଥାନକୁ ମାଆଙ୍କ ସହ ବୁଲିବାର ସୁଯୋଗ ସେ ହରାଇବାକୁ ଚାହାନ୍ତିନି। ତେବେ ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ସ୍ବିଜରଲ୍ୟାଣ୍ଡର ଏକ ବୃଦ୍ଧାଶ୍ରମରେ କାମ କରନ୍ତି।

ସମ୍ବନ୍ଧିତ ଖବର