ନାସିକ: ବିରକ୍ତ ହେଉଥିଲି ବୋଲି ମା’କୁ ମାରିଦେଲି। ମହାରାଷ୍ଟ୍ରର ନାସିକର ଜେଲ ରୋଡରେ ଥିବା ଶିବାଜୀନଗର ଅଞ୍ଚଳରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ଏଭଳି ଅତି ସାମାନ୍ୟ କାରଣ ପାଇଁ ନିଜ ମା’ଙ୍କୁ ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଅ ହୋଇ କିଭଳି ନିଜ ମା’କୁ ଏତେ ନିର୍ମମ ଭାବେ ହତ୍ୟା କରିପାରିଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଅଭିଯୁକ୍ତର ନାମ ଅରବିନ୍ଦ ମୁରଲୀଧର ପାଟିଲ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ନାମ ଯଶୋଦାବାଇ ମୁରଲୀଧର ପାଟିଲ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ନାସିକର ଜେଲ ରୋଡ୍ରେ ଥିବା ଶିବାଜୀନଗର ଅଞ୍ଚଳର ବାସିନ୍ଦା ୫୮ ବର୍ଷୀୟ ଅରବିନ୍ଦ ମୁରଲୀଧର ପାଟିଲ ମଙ୍ଗଳବାର ରାତିରେ ତାଙ୍କ ୮୦ ବର୍ଷୀୟା ମାଆ ଯଶୋଦାବାଇ ମୁରଲୀଧର ପାଟିଲଙ୍କ ଗଳାକାଟି ହତ୍ୟା କରିଥିଲେ। ଅପରାଧ କରିବା ପରେ, ଅଭିଯୁକ୍ତ ଅରବିନ୍ଦ ପାଟିଲ ବ୍ୟକ୍ତିଗତ ଭାବରେ ନାସିକ ରୋଡ୍ ପୁଲିସ ଷ୍ଟେସନକୁ ଯାଇ କହିଥିଲେ, "ମୁଁ ଘରେ ବସି ବସି ବିରକ୍ତ ହେଉଥିଲି ବୋଲି ମୋ ମାଆର ଗଳାକାଟି ହତ୍ୟା କରିଛି। ମୋତେ ଗିରଫ କର।"
ଅରବିନ୍ଦର ସ୍ବୀକାରୋକ୍ତି ପରେ ପୁଲିସ ତାଙ୍କୁ ହେପାଜତକୁ ନେଇ ତାଙ୍କ ଘର ତଲାସି କରିଥିଲେ। ତଦନ୍ତ କରିବା ପରେ, ସେମାନେ ତାଙ୍କ ବୃଦ୍ଧ ମା' ଯଶୋଦାବାଇ ପାଟିଲଙ୍କ ମୃତଦେହ ପାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ନାସିକ ରୋଡ୍ ପୁଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଜଣାପଡିଛି ଯେ ଅରବିନ୍ଦ, ଯିଏ ବାଲୁ ପାଟିଲ ନାମରେ ମଧ୍ୟ ଜଣାଶୁଣା, ଜଣେ ମାନସିକ ରୋଗୀ। ସେ ବିବାହିତ, ଏବଂ ତାଙ୍କ ମାନସିକ ଅବସ୍ଥା ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲେ।
son-murder-his-mother | nashik-jail