ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏବଂ ଅମିତ ଶାହ ଦଳର ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବା ପରେ ଅମିତଙ୍କ ପୁଅ ଜୟ ଅମିତଭାଇ ଶାହଙ୍କ କମ୍ପାନିର ସମ୍ପତ୍ତି କଳ୍ପନାତୀତ ଭାବେ ବୃଦ୍ଧି ହୋଇଛି। ୨୦୧୪-୧୫ରେ ଜୟଙ୍କ କମ୍ପାନି ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ପ୍ରା. ଲି. ମାତ୍ର ୫୦ ହଜାର ଟଙ୍କାର କାରବାର କରିଥିବା ବେଳେ ୨୦୧୫-୧୬କୁ ଏହା ୧୬,୦୦୦ ଗୁଣା ବୃଦ୍ଧି ପାଇ ସାଢ଼େ ୮୦ କୋଟିରେ ପହଞ୍ଚିଛି। ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍(ଆର୍ଓସି)ର କାଗଜପତ୍ରରୁ ଏହି ତଥ୍ୟ ମିଳିଥିବା ନେଇ ‘ଦ ଓୟାର’ ନାମକ େଓ୍ଵବ୍ସାଇଟ୍ରେ ପ୍ରକାଶିତ ହୋଇଛି। ତେଣୁ ଜୟଙ୍କର ଏଭଳି ଅହେତୁକ ସମ୍ପତ୍ତି ବୃଦ୍ଧି ଉପରେ ଆପତ୍ତି ଉଠାଇଛି କଂଗ୍ରେସ। ସଂପୃକ୍ତ କମ୍ପାନିର କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ କରିବାକୁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାବି କରାଯାଇଛି।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଆର୍ଓସିର କାଗଜପତ୍ରକୁ ଆଧାର କରି କହିଛନ୍ତି ଯେ ଜୟଙ୍କ କମ୍ପାନିର କୌଣସି ପୁରୁଣା ଗଚ୍ଛିତ ସମ୍ପତ୍ତି ନଥାଇ ୮୦.୫ କୋଟି ଟଙ୍କାର କାରବାର ବାସ୍ତବରେ ଆଶ୍ଚର୍ଯ୍ୟଜନକ। ପ୍ରଧାନମନ୍ତ୍ରୀ ମୋଦି ଦୁର୍ନୀତି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନର ଯେଉଁ ପ୍ରତିଜ୍ଞା କରିଥିଲେ ତାକୁ ମନେ ପକାଇ ଶିବଲ୍ କହିଛନ୍ତି ଯେ ଶାହଙ୍କ ପୁଅ କମ୍ପାନି ବିରୋଧରେ ମୋଦି ତୁରନ୍ତ ତଦନ୍ତ ଆରମ୍ଭ କରନ୍ତୁ। ଅନ୍ୟପକ୍ଷରେ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ କହିଛନ୍ତି ଯେ ଅମିତ ଏବଂ ତାଙ୍କ ପୁଅ ହିଁ ବିମୁଦ୍ରାକରଣର ସଠିକ୍ ଲାଭ ଉଠାଇଛନ୍ତି। ଆମ୍ ଆଦମି ପାର୍ଟି ମଧ୍ୟ ତଦନ୍ତ ଦାବି କରିଛି।
‘ଦ ଓୟାର’ ବିରୋଧରେ ଶହେ କୋଟିର ମାନହାନି ମାମଲା ହେବ
ନୂଆଦିଲ୍ଲୀ : ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ୨୦୧୫-୧୬ରେ ପୂର୍ବ ବଷ ତୁଳନାରେ ୧୬,୦୦୦ ଗୁଣା ଅଧିକ କାରବାର କରିଥିବା ନେଇ ଖବର ପ୍ରକାଶ କରିଥିବା ନୂଆ େଓ୍ଵବ୍ସାଇଟ୍ ‘ଦ ଓୟାର’ ବିରୋଧରେ ଜୟ ଶହେ କୋଟିର ମାନହାନି ମୋକଦ୍ଦମା କରିବେ ବୋଲି ଜଣାଯାଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ସଂପୃକ୍ତ େଓ୍ଵବ୍ସାଇଟ୍ରେ ପ୍ରକାଶିତ ଖବରରେ ଜୟ ସମ୍ପୂର୍ଣ୍ଣ ମର୍ମାହତ। ତେଣୁ ସେ ଅହମଦାବାଦର ଏକ ଅଦାଲତରେ ମାନହାନି ମାମଲା କରିବାକୁ ବାଧ୍ୟ ହେବେ। ସେହିପରି ଜୟ ମଧ୍ୟ କହିଛନ୍ତି ଯେ ଏପରି ଖବର ପ୍ରଚାର ଦ୍ୱାରା ସେ ପିତାଙ୍କ ରାଜନୈତିକ ପ୍ରତିଷ୍ଠାର ଫାଇଦା ନେଇଥିବା ଅପପ୍ରଚାର ଚଳାଯାଇଛି। ତାଙ୍କ କମ୍ପାନିର ବ୍ୟବସାୟ ଆଇନସିଦ୍ଧ ଏବଂ ସେ କୌଣସି ଅନୈତିକ ଉପାୟ ଅବଲମ୍ବନ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/04-2.jpg)