ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଜଣେ ଆଦିବାସୀ ନୁହନ୍ତି ବୋଲି ଛତିଶଗଡ଼ ସରକାର ଘୋଷଣା କରିବାର ଦିନକପରେ ତାଙ୍କ ପୁଅ ଅମିତ ଯୋଗୀ ଗିରଫ

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଜଣେ ଆଦିବାସୀ ନୁହନ୍ତି ବୋଲି ଛତିଶଗଡ଼ ସରକାର ଘୋଷଣା କରିବାର ଗୋଟିଏ ଦିନପରେ ତାଙ୍କ ପୁଅ ତଥା ଜନତା କଂଗ୍ରେସ ନେତା ଅମିତ ଯୋଗୀଙ୍କୁ ଆଜି ପୁଲିସ ଗିରଫ କରିଛି। ବିଳାସପୁରସ୍ଥିତ ନିଜ ବାସଭବନରୁ ଅମିତଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଥିବା ଜଣାଯାଇଛି। ତାଙ୍କୁ ଆଇପିସି ଧାରା-୪୨୦ରେ ଗିରଫ କରାଯାଇଥିବା ଜଣାଯାଇଛି।

ପୂର୍ବତନ ବିଧାୟକ ଅମିତ ଯୋଗୀଙ୍କୁ ଆଜି ନ୍ୟାୟାଳୟରେ ହାଜର କରାଯିବ ବୋଲି ବିଳାସପୁର ଗ୍ରାମାଞ୍ଚଳ ଏସପି ସଞ୍ଜୟ କୁମାର ଧୃବ ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଅମିତ ଯୋଗୀ ଆଫିଡେଭିଟରେ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପାଇକରା ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ। ସମୀରା ଏତଲାରେ ଦର୍ଶାଇଥିଲେ ଯେ ‘ଅମିତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ଯେଉଁ ଶପଥପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ଜନ୍ମ ତାରିଖ ଭୁଲ୍ ଦର୍ଶାଇଥିଲେ। ଅମିତ ୧୯୭୮ ମସିହା ଗୋରେଲା ଥାନାରେ ଥିବା ସାରବହରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଶପଥପାଠରେ ଯାହା ଦର୍ଶାଇଛନ୍ତି, ତାହା ମିଛ ବୋଲି ସମୀରା ଅଭିଯୋଗ କରିଥିଲେ।

ସମୀରା ପାଇକରା ୨୦୧୩ ବିଧାନସଭା ନିର୍ବାଚନରେ ମାରୱାହି ଆସନରୁ ବିଜେପି ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ସମ୍ବନ୍ଧିତ ଖବର