ପଥର‌ରେ ଆତଙ୍କବାଦୀକୁ ମାରିଥିବା ବ୍ୟକ୍ତିଙ୍କ ପୁଅ ବିବାଦୀୟ ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ନିହତ

ଶ୍ରୀନଗର: ଶ୍ରୀନଗରରେ ‌ସଙ୍ଗଠିତ ବିବାଦୀୟ ଏନ୍‌କାଉଣ୍ଟର୍‌ରେ ପୁଲିସ ତାଙ୍କ ପୁଅକୁ ହତ୍ୟା କରି ଆତଙ୍କବାଦୀ ବୋଲି କହିଥିବା କଥା ରାମବନ ଜିଲ୍ଲାର ସୁଦୂର ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ଅବ୍ଦୁଲ୍‌ ଲତିଫ୍ ମାଗ୍‌ରେ ନାମକ ସେ ବ୍ୟକ୍ତିଜଣକ ୨୦୦୫ରେ ଜଣେ ଆତଙ୍କବାଦୀକୁ ପଥରରେ ହତ୍ୟା କରି ଚର୍ଚ୍ଚିତ ହୋଇଥିଲେ। ସେ କହିଛନ୍ତି, ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଯେଉଁ ୪ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାଙ୍କର ପୁଅ ଅମିର୍‌। ଅମିର୍‌ ଆତଙ୍କବାଦୀ ନୁହେଁ। ସେ ଅତି ନିରୀହ ଏବଂ ଶ୍ରୀନଗରରେ ଗୋଟାଏ ଦୋକାନରେ ମଜୁରିଆ ଭାବେ କାମ କରୁଥିଲା।

କିନ୍ତୁ, ପୁଲିସ ଦାବି କରିଛି ଯେ, ସୋମବାର ବିଳମ୍ବିତ ସନ୍ଧ୍ୟାରେ ଶ୍ରୀନଗରସ୍ଥିତ ଏକ ବାଣିଜ୍ୟିକ ପ୍ରତିଷ୍ଠାନ ପରିସରରେ ସଙ୍ଗଠିତ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ୨୪ ବର୍ଷିୟ ଅମିର ମାଗ୍‌ରେ ଥିଲେ ଜଣେ ‘ହାଇବ୍ରିଡ୍‌ ଟେରରିଷ୍ଟ୍‌’ (ଆତଙ୍କବାଦୀଙ୍କ ସହାୟତାକାରୀ)।

Image Courtesy of NDTV

ଏ ସଂକ୍ରାନ୍ତରେ ଅବ୍ଦୁଲ୍‌ ଲତିଫ୍‌ କହନ୍ତି, ମୁଁ ନିଜେ ପଥ‌ରରେ ଗୋଟାଏ ଆତଙ୍କବାଦୀକୁ ହତ୍ୟା କରିଥିଲି। ମୁଁ ଆତଙ୍କବାଦୀଙ୍କ ଗୁଳିଚୋଟ ଖାଇଛି। ମୋର ସମ୍ପର୍କୀୟ ଭାଇକୁ ମଧ୍ୟ ଆତଙ୍କବାଦୀମ‌ାନେ ହତ୍ୟା କରିଛନ୍ତି। ସେଥିପାଇଁ ଆମେ ୧୧ ବର୍ଷ ଧରି ଘର ଛାଡ଼ି ବାହାରେ ରହିଥିଲୁ। ପିଲାମାନଙ୍କୁ ଗୁପ୍ତ ସ୍ଥାନମାନଙ୍କରେ ରଖି ବଡ଼ କଷ୍ଟରେ ମୁଁ ଲାଳନପାଳନ କରିଛି। ଆଜି ସେ ସ୍ବାର୍ଥତ୍ୟାଗ ଫଳ ହେଲା, ପଥରରେ ଆତଙ୍କବାଦୀକୁ ହତ୍ୟା କରିଥିବା ପୁଅକୁ ହତ୍ୟା କରାଯାଇ ଆତଙ୍କବାଦୀ ଆଖ୍ୟା ଦିଆଯାଉଛି। ପୁଅର ଶେଷକୃତ୍ୟ ପାଇଁ ମଧ୍ୟ ପୁଲିସ ଶବ ଦେଲାନାହିଁ।

ଏନ୍‌କାଉଣ୍ଟର୍‌ରେ ନିହତ ସେ ୪ଜଣ ଆତଙ୍କବାଦୀଙ୍କ ଶବ ଶ୍ରୀନଗର ଠାରୁ ୧୦୦ କିଲୋମିଟର୍‌ ଦୂର ହଣ୍ଡୱାରା ପୁଲିସ ଜିଲ୍ଲା ଅନ୍ତର୍ଗତ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋତି ଦିଆଯାଇଥିବା କଥା ପୁଲିସ କହିଛି।

ଜଣେ ମାର୍କେଟ କମ୍ପ୍ଲେକ୍ସ ମାଲିକଙ୍କ ସମେତ ଦୁଇଜଣ ବ୍ୟବସାୟୀ ନିହତ ହୋଇଥିବା ଉପରୋକ୍ତ ଏନ୍‌କାଉଣ୍ଟର୍‌ ବିବାଦୀୟ ହୋଇଉଠିଛି। ପୁଲିସ ଦାବି କରିଛି ଯେ, ସମ୍ପୃକ୍ତ ବ୍ୟବସାୟୀମାନେ ଥିଲେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ।

ସମ୍ବନ୍ଧିତ ଖବର