ରୋଗିଣା ମା’ଙ୍କୁ ଛାତରୁ ଠେଲିଦେଲେ ପ୍ରଫେସର

ସିସିଟିଭିରୁ ଧରାପଡ଼ି ୩ ମାସ ପରେ ଗିରଫ

ରାଜକୋଟ(ଗୁଜରାଟ): ସାଧାରଣତଃ ଅନ୍ୟର ସେବା କରିବା ଈଶ୍ୱରଙ୍କୁ ସେବା କରିବା ସହ ସମାନ ବୋଲି ସବୁ ଧର୍ମରେ ଏହି ପରାମର୍ଶ ରହିଛି। ସେହିପରି ବାପାମା’ଙ୍କ ସେବା କରିବାଟା ହିଁ ଜୀବନର ଏକ ସୁଯୋଗ ଏବଂ ସୌଭାଗ୍ୟ ବୋଲି ଆମ ବିଚାରାଧାରରେ ରହିଛି। ମାତ୍ର ଗୁଜରାଟର ରାଜକୋଟ ନିବାସୀ ଜଣେ ପ୍ରାଧ୍ୟାପକ ନିଜ ବୃଦ୍ଧା ରୋଗିଣା ମା’ଙ୍କ ସେବାରେ ଅତିଷ୍ଠ ଓ ବ୍ୟସ୍ତବିବ୍ରତ ହୋଇ ତାଙ୍କୁ ନିଜ ଛାତ ଉପରୁ ଠେଲି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଦୀର୍ଘ ତିନି ମାସ ତଳର ଏହି ଜଘଣ୍ୟ କାଣ୍ଡ ସିସିଟିଭିରୁ ଧରାପଡ଼ିବା ପରେ ଅଭିଯୁକ୍ତ ପ୍ରାଧ୍ୟାପକ ଜଣକ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ପୁଲିସ ସୂଚନାନୁଯାୟୀ, ସ୍ଥାନୀୟ ଏକ ଫାର୍ମାସି କଲେଜରେ ଅଧ୍ୟାପନା କରୁଥିବା ୩୮ ବର୍ଷୀୟ ପ୍ରଫେସର ସନ୍ଦୀପ ନାଥଓ୍ଵାନିଙ୍କ ମା’ ଜୟଶ୍ରୀବେନ ବିନୋଦଭାଇ ନାଥଓ୍ଵାନି(୬୪) ବାର୍ଦ୍ଧକ୍ୟଜନିତ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲେ। ତେବେ ଗତ ସେପ୍ଟେମ୍ବର ୨୯ ତାରିଖରେ ସନ୍ଦୀପଙ୍କ ବାସଭବନ ନିକଟରେ ଜୟଶ୍ରୀବେନଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମସ୍ତିଷ୍କ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜୟଶ୍ରୀବେନ୍‌ ମାନସିକ ଭାରସାମ୍ୟ ହରାଇ ତାଙ୍କ କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବନ୍ଧୁବାନ୍ଧବ ଓ ସ୍ଥାନୀୟ ଲୋକେ ଧରିନେଇଥିଲେ। ପୁଲିସ ମଧ୍ୟ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ରହିଥିଲା। ତେବେ ଏହା ଏକ ହତ୍ୟା ମାମଲା ହୋଇଥାଇପାରେ ବୋଲି ନିକଟରେ ଏକ ଅଜଣା ଚିଠିରୁ ସୂଚନା ପାଇ ପୁଲିସ ତଦନ୍ତର ଦିଗ ବଦଳାଇଥିଲା। ସନ୍ଦୀପଙ୍କ ପାଖ କୋଠାରେ ଲାଗିଥିବା ସିସିଟିଭିରୁ ସନ୍ଦୀପ ହିଁ ନିଜ ମା’ଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ସନ୍ଦୀପଙ୍କୁ ପଚରାଉଚରା ପରେ ସେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର