୭୫ ବର୍ଷୀୟ ମା’ର ଲଢେଇ ପାଇଁ ନେପାଳ ଜେଲରୁ ଫେରିଲା ପୁଅ

ବାରଣାସୀ: ପୁଅ ପାଇଁ ମା ର ସଂଘର୍ଷ | ଦିନେ କି ଦି ଦିନ ନୁହେଁ ୪ ବର୍ଷର ସଂଘର୍ଷ | ପଡୋଶୀ ଦେଶ ନେପାଳରେ ବନ୍ଦୀ ଜୀବନ କାଟୁଥିବା ପୁଅକୁ ମୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ବାରଣାସୀର ଅମରାବତୀ ଦେବୀ ଆଜି ସଫଳ ହୋଇଛନ୍ତି | ଜେଲରୁ ମୁକ୍ତ ହେବା ପରେ ପୁଅକୁ ଆଖି ସାମ୍ନାରେ ଦେଖି ମାଙ୍କ ଆଖିରୁ ଝରିପଡିଛି ଆନନ୍ଦର ଲୁହ | ଆଉ ପୁଅକୁ ଜେଲରୁ ମୁକୁଳାଇଥିବା ଏହି ମା’ର ସଂଘର୍ଷ କାହାଣୀ ପଢିଲେ ଆପଣ ବି ଭାବୁକ ହୋଇଯିବେ |

ବାରଣାସୀର ଅମରାବତୀ ଦେବୀଙ୍କ ପୁଅ ମହେନ୍ଦ୍ର ପେସାରେ ଜଣେ ଡ୍ରାଇଭର | ଭାରତରୁ ପରିବା ନେଇ ମହେନ୍ଦ୍ର ସବୁଦିନ ନେପାଳର କାଠମାଣ୍ଡୁ ଯାଆନ୍ତି | ଆଉ ୪ ବର୍ଷ ତଳେ ଦିନେ କାଠମାଣ୍ଡୁ ଯାଉଥିବାବେଳେ ତାଙ୍କ ଟ୍ରକ ସହ ଜଣେ ବାଇକ ଚାଳକଙ୍କର ଦୁର୍ଘଟଣା ହୋଇଥିଲା | ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣାରେ ପୁଲିସ ମହେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇଦେଇଥିଲା | ତେବେ ନେପାଳ ଜେଲରୁ ମୁକୁଳାଇବା ପାଇଁ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା | ହେଲେ ଏତେ ଟଙ୍କା ଦେବାକୁ ସକ୍ଷମ ନଥିବା ୭୫ ବର୍ଷୀୟ ଅମରାବତୀ ଦେବୀ ପୁଅ ପାଇଁ ନିଜେ ଚେଷ୍ଟା କରିବାକୁ ବାହାରିଥିଲେ | ବାରଣାସୀକୁ ଯେତେବେଳେ କୌଣସି ଭିଆଇପି ଆସୁଥିଲେ ସେତେବଳେ ଅମରାବତୀ ଦେବୀ ରାସ୍ତା ଉପରେ ବସି ପୁଅର ମୁକ୍ତି ପାଇଁ ନିବେଦନ କରୁଥିଲେ |

photo-aajtak

ଚାରିବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀଙ୍କ ଗାଡି ରାସ୍ତାରେ ଯାଉଥିଲେ ବି କାହାର ନଜର ଅମରାବତୀ ଦେବୀଙ୍କ ଉପରେ ପଡ଼ିନଥିଲା | ଏହା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କିଛି ପୂର୍ବତନ ଛାତ୍ର ରାସ୍ତା ଉପରେ ଗୁହାରି କରୁଥିବା ଏହି ମା ଙ୍କୁ ଦେଖିଥିଲେ | ପୂର୍ବତନ ଛାତ୍ରମାନେ ନେପାଳର ଚୌଧୁରୀ ଫାଉଣ୍ଡେସନ ନାମକ ସାମାଜିକ ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ | ଏହା ପରେ କିଛି ଟଙ୍କା ସଂଗ୍ରହ କରି ଜରିମାନା ଅର୍ଥ ପଇଠ କରାଯାଇଥିଲା | ଆଉ ଏହା ପରେ ମହେନ୍ଦ୍ରଙ୍କୁ ଜେଲରୁ ମୁକ୍ତି ମିଳିଥିଲା |

ସମ୍ବନ୍ଧିତ ଖବର