ସନ୍ତାନ ହଇରାଣ କଲେ ସମ୍ପତ୍ତି ହରାଇବେ

ବୃଦ୍ଧ ପିତାମାତାଙ୍କୁ ହାଇକୋର୍ଟଙ୍କ ଅଭୟ ବର

ମୁମ୍ବାଇ: ବୃଦ୍ଧ ପିତାମାତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବା ସେମାନଙ୍କୁ ନାନା ପ୍ରକାରେ ହଇରାଣ ହରକତ କରୁଥିବା ଲୋକମାନେ ସାବଧାନ! ଏଣିକି ସେମାନେ ଯଦି ନିଜ ବୃଦ୍ଧ ପିତାମାତାଙ୍କୁ ହଇରାଣ କରନ୍ତି, ତେବେ ସେମାନଙ୍କୁ ଉପହାର ସ୍ୱରୂପ ମିଳିଥିବା ସମ୍ପତ୍ତି ହାତରୁ ଖସିଯିବ। ପିତାମାତା ଚାହିଁଲେ ଏଭଳି କଡ଼ା ପଦକ୍ଷେପ ନେଇପାରିବେ। ବମ୍ବେ ହାଇକୋର୍ଟ ସୋମବାର ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି।
ଏ ନେଇ ଏକ ଆବେଦନର ବିଚାର କରି ବିଚାରପତି ରଞ୍ଜିତ୍‌ ମୋରେ ଏବଂ ଅନୁଜା ପ୍ରଭୁଦେଶାଇଙ୍କ ଖଣ୍ଡପୀଠ କହିଛନ୍ତି, ପିଲାମାନଙ୍କ ପ୍ରତି ଅଧିକ ସ୍ନେହଶ୍ରଦ୍ଧା ଯୋଗୁ ପିତାମାତାମାନେ ସେମାନଙ୍କୁ କିଛି ସମ୍ପତ୍ତି ଉପହାର ଭାବେ ଦେଇଥାନ୍ତି। ସେମାନେ ଏହି ସମ୍ପତ୍ତି ପାଇବା ଦ୍ୱାରା ସେମାନଙ୍କୁ ବୃଦ୍ଧ କାଳେ ସେବା ଶୁଶ୍ରୂଷା ମିଳିବ ବୋଲି ଆଶା ରଖିଥାନ୍ତି। କିନ୍ତୁ ବାର୍ଦ୍ଧକ୍ୟ ସମୟରେ ଯଦି ସେମାନଙ୍କୁ ସେହି ଅନୁସାରେ ସେବା ନ ମିଳେ ବା ସେମାନଙ୍କୁ ହଇରାଣ ହରକତ କରାଯାଏ, ତେବେ ନିର୍ଯାତନାର ଶିକାର ହେଉଥିବା ବୃଦ୍ଧ ପିତାମାତା ପୁଣି ସେହି ସମ୍ପତ୍ତିକୁ ଫେରାଇ ନେଇଯିବେ। ୨୦୦୭ର ପିତାମାତା ଓ ବରିଷ୍ଠ ନାଗରିକ ମଙ୍ଗଳ ଆଇନରେ ରହିଥିବା ବ୍ୟବସ୍ଥା ଏ କ୍ଷେତ୍ରରେ ଲାଗୁ କରାଯିବ।

ଏଭଳି ଆଭିମୁଖ୍ୟ ପ୍ରକାଶ କରିବା ପରେ ଏ ପ୍ରସଙ୍ଗରେ ଟି୍ରବ୍ୟୁନାଲ୍‌ଙ୍କ ପକ୍ଷରୁ ହୋଇଥିବା ଏକ ରାୟକୁ ଖଣ୍ଡପୀଠ କାଏମ୍‌ ରଖିଛନ୍ତି। ଅନ୍ଧେରୀର ଜଣେ ବୃଦ୍ଧ ପିତା ନିଜ ପୁଅକୁ ତାଙ୍କ ଫ୍ଲାଟ୍‌ର ୫୦% ହସ୍ତାନ୍ତର କରିଥିଲେ। କିନ୍ତୁ ପରମୁହୂର୍ତ୍ତରେ ପୁଅ ହଇରାଣ କରିବା ଯୋଗୁ ପିତା ଜଣକ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଟ୍ରିବ୍ୟୁନାଲ୍‌ ନିଜର ଗୁରୁତ୍ୱପୂର୍ଣ୍ଣ ରାୟରେ ଦର୍ଶାଇଥିଲେ ଯେ ଏ କ୍ଷେତ୍ରରେ ବୃଦ୍ଧ ପିତା ଫ୍ଲାଟ୍‌ରେ ଥିବା ନିଜ ୫୦% ସେୟାରକୁ ପୁନଃ ଫେରାଇ ନେଇପାରିବେ। ଏହାପରେ ପୁଅ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଟ୍ରିବ୍ୟୁନାଲ୍‌ଙ୍କ ରାୟକୁ କାଏମ୍‌ ରଖି ଖଣ୍ଡପୀଠ ଆହୁରି କହିଛନ୍ତି, ପୁଅ ଓ ବୋହୂଙ୍କ ଅନୁରୋଧକ୍ରମେ ସେମାନଙ୍କୁ ପିତାମାତା ଖୁସି ମନରେ ନିଜ ସମ୍ପତ୍ତି ଉପହାର ଭାବେ ପ୍ରଦାନ କରିଥାନ୍ତି। ଏହାପରେ ପୁଅବୋହୂ ସେମାନଙ୍କ ସେବାଯତ୍ନ କରିବା କଥା। ଏମିତି କି ପିତାଙ୍କ ଦ୍ୱିତୀୟ ପତ୍ନୀ ବି ସେବାଯତ୍ନ ପାଇବାକୁ ହକ୍‌ଦାର। ଅନ୍ଧେରୀ ଘଟଣା କ୍ଷେତ୍ରରେ ବୃଦ୍ଧ ପିତା ଜଣକ ଦ୍ୱିତୀୟ ପତ୍ନୀ ରଖିଥିବାରୁ ସେମାନଙ୍କ ପୁଅବୋହୂ ସେମାନଙ୍କୁ ସେବା ଯୋଗାଇବାକୁ ଅନିଚ୍ଛୁକ ପ୍ରକାଶ କରିଥିଲେ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପରେ ଖଣ୍ଡପୀଠ କହିଛନ୍ତି, ଏ କ୍ଷେତ୍ରରେ ମଧ୍ୟ ସନ୍ତାନମାନେ ନିଜ ବୃଦ୍ଧ ପିତାଙ୍କୁ ହଇରାଣ କରିପାରିବେ ନାହିଁ। ଆଉ ଯଦି କରନ୍ତି, ତେବେ ପିତା ଜଣକ ଚାହିଁଲେ ନିଜ ଭାଗ ସମ୍ପତ୍ତି ଫେରାଇ ନେଇପାରିବେ। ଏଭଳି ରାୟ ଦେଇ ପୁଅ ଜଣଙ୍କ ଦ୍ୱାରା ହୋଇଥିବା ପିଟିସନ୍‌କୁ ଖଣ୍ଡପୀଠ ଖାରଜ କରିଦେଇଥିଲେ।
ପିତାମାତା ଓ ବରିଷ୍ଠ ନାଗରିକ ମଙ୍ଗଳ ଆଇନ, ୨୦୦୭ରେ ରହିଥିବା ବ୍ୟବସ୍ଥା ଅନୁସାରେ, ଭବିଷ୍ୟତରେ ପିଲାମାନଙ୍କ ଠାରୁ ସେବାଯତ୍ନ ପାଇବା ଆଶାରେ ସେମାନଙ୍କୁ ନିଜ ସମ୍ପତ୍ତି ଟେକିଦେଉଥିବା ବୃଦ୍ଧ ପିତାମାତାଙ୍କୁ କୌଣସିମତେ ହଇରାଣ କରାଯାଇ ପାରିବ ନାହିଁ। ସମ୍ପତ୍ତି ପିଲାଙ୍କ ନାମରେ ହୋଇସାରିଥିଲେ ବି ସେବା ଯୋଗାଇବାକୁ ସେମାନେ ବାଧ୍ୟ। ପରମୁହୂର୍ତ୍ତରେ ଯଦି ପିତାମାତା ହଇରାଣର ଶିକାର ହୁଅନ୍ତି, ତେବେ ସେମାନେ ଆଇନର ଦ୍ୱାରସ୍ଥ ହୋଇ ନିଜ ଭାଗ ସମ୍ପତ୍ତି ଫେରିପାଇ ପାରିବେ। ମେଣ୍ଟେନାନ୍ସ ଟ୍ରିବ୍ୟୁନାଲ୍‌ ବୃଦ୍ଧ ପିତାମାତାଙ୍କୁ ସେମାନଙ୍କ ଭାଗ ସମ୍ପତ୍ତି ଫେରାଇବାରେ ସହାୟକ ହେବେ।
ଉଲ୍ଲେଖଯୋଗ୍ୟ, ଅନ୍ଧେରୀ ଘଟଣାରେ ସମ୍ପୃକ୍ତ ବରିଷ୍ଠ ନାଗରିକ ଜଣକର ପ୍ରଥମ ପତ୍ନୀ ୨୦୧୪ରେ କୌଣସି କାରଣରୁ ଦେହତ୍ୟାଗ କରିଥିଲେ। ଗତବର୍ଷ ସେ ଆଉ ଜଣକୁ ବିବାହ କରିଥିଲେ। କିନ୍ତୁ ଏହାକୁ ସେମାନଙ୍କ ପୁଅବୋହୂ ବିରୋଧ କରିଥିଲେ। ଏହାପରେ ଅନ୍ଧେରୀରେ ଥିବା ତାଙ୍କର ଏକ ଫ୍ଲାଟ୍‌ର ୫୦% ଭାଗ ହାତେଇବା ପରେ ପୁଅବୋହୂ ସମ୍ମତି ଜଣାଇଥିଲେ। କିନ୍ତୁ ସମ୍ପତ୍ତି ପାଇବା ପରେ ସେମାନେ ହଇରାଣ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର