ପାଟନା:ନିର୍ବାଚନ କମିସନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ବିହାର ନିର୍ବାଚନ ସମ୍ପର୍ରେ ଘୋଷଣା କରି ନାହାନ୍ତି। କିନ୍ତୁ ରାଜ୍ୟରେ ରାଜନୈତିକ ଉଷ୍ଣତା ଅନୌପଚାରିକ ଭାବରେ  ୨୦୨୫ ନିର୍ବାଚନ ନେଇ ଘୋଷଣା କରିଛି। ନିର୍ବାଚନୀ ପରିବେଶ ମଧ୍ୟରେ, ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏ ବିଷୟରେ ଆଲୋଚନା ମଧ୍ୟ ଜୋରଦାର ଆରମ୍ଭ ହୋଇଛି। ଏହି ସମୟରେ, ଜେଡିୟୁ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ରାଜ୍ୟର ରାଜନୈତିକ ସ୍ଥିତିକୁ ସରଗରମ କରିଛି।

Advertisment

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ବିହାର ରାଜନୀତିରେ ସସପେନ୍ସ ଜାରି ରହିଛି। ନିଶାନ୍ତ କୁମାର କେବେ ରାଜନୀତିରେ ପ୍ରବେଶ କରିବେ, ଏହା ହିଁ ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ନିଶାନ୍ତ କୁମାର ଗଣମାଧ୍ୟମରେ ତାଙ୍କ ପିତା ନୀତିଶ କୁମାରଙ୍କ ପ୍ରଶଂସା କଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥାଏ। ବିରୋଧୀ ଦଳ ସଦସ୍ୟ କହିଥାନ୍ତି ନିଶାନ୍ତ ତାଙ୍କ ପିତା ନୀତିଶଙ୍କ ଦ୍ୱାରା ରାଜ୍ୟ ପାଇଁ  କରାଯାଇଥିବା କାମ ଉପରେ ଭୋଟ ମାଗୁଛନ୍ତି।

ସୋମବାର ଦିନ ବିହାରର ରାଜଧାନୀ ପାଟନାରେ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ରାଜ୍ୟ କାର୍ଯ୍ୟାଳୟ  ବାହାରେ ନିଶାନ୍ତ କୁମାର ଏବଂ ତାଙ୍କ ପିତା ନୀତିଶ କୁମାରଙ୍କ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରର ବିଶେଷ କଥା ହେଉଛି ନିଶାନ୍ତ କୁମାରଙ୍କୁ କର୍ପୁରୀ ଠାକୁରଙ୍କ ବିଚାରଧାରା ଏବଂ ନୀତିଶ କୁମାରଙ୍କ କାର୍ଯ୍ୟଶୈଳୀର ଉତ୍ତରାଧିକାରୀ ଭାବରେ ବର୍ଣ୍ଣନା କରାଯାଇଛି।


ଜେଡିୟୁ କାର୍ଯ୍ୟାଳୟ ବାହାରେ ଥିବା ପୋଷ୍ଟରରେ ଲେଖା ଅଛି,ସଚ୍ଚୋଟତା ଏବଂ ଜନସେବାର ଏକ ନୂତନ ପିଢ଼ି। ଜନସେବାର ଐତିହ୍ୟ ଏବେ ଆଗକୁ ବଢ଼ିବ। ବିକାଶ ପୁରୁଷଙ୍କ ପୁଅ ହେଉଛନ୍ତି ବିହାରର ଭବିଷ୍ୟତ, ନିଶାନ୍ତ କୁମାର। ନିଶାନ୍ତ କୁମାର ହେଉଛନ୍ତି ଜନନାୟକ କର୍ପୁରୀ ଠାକୁରଙ୍କ ବିଚାରଧାରା ଏବଂ ନୀତିଶଙ୍କ କାର୍ଯ୍ୟଶୈଳୀର ଉତ୍ତରାଧିକାରୀ।


ଏହି ପୋଷ୍ଟର ପ୍ରକାଶ ପାଇବା ପରେ, କଳ୍ପନାଜଳ୍ପନା ଜୋର ଧରିଛି ଯେ, ଯଦି ବିହାରରେ ୨୦୨୫ ନିର୍ବାଚନରେ ​​ଏନଡିଏ ଜିତିବ, ତେବେ ନିଶାନ୍ତ କୁମାରଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ। ନୀତିଶ କୁମାରଙ୍କ ବର୍ଦ୍ଧିତ ବୟସ ଯୋଗୁ ଏପରି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।


ଏବେ ପ୍ରଶ୍ନ ହେଉଛି ଯେ, ନିଶାନ୍ତ କୁମାର ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପ୍ରବେଶ କରିବେ କି ନା ଲଗାଯାଉଥିବା ପୋଷ୍ଟର କେବଳ ନିର୍ବାଚନ ବ୍ୟାନର ପରି ରହିଯିବ? ତେବେ ପୋଷ୍ଟର ଲଗାଯିବା ନେଇ ଚର୍ଚ୍ଚା ହେଉଛି ଯେ,ଯେତେବେଳେ ସମଗ୍ର ବିହାର ଜେଡିୟୁର ଭବିଷ୍ୟତ ଏବଂ ନୀତିଶଙ୍କ ରାଜନୈତିକ ଐତିହ୍ୟର ଉତ୍ତରାଧିକାରୀଙ୍କୁ ଅପେକ୍ଷା କରିଛି ସେତେବେଳେ ଜେଡିୟୁର ଏଭଳି ପଦକ୍ଷେପ ମୂଳରେ ରାଜନୈତିକ ଲକ୍ଷ୍ୟ କ’ଣ ରହିଛି?


ଉଲ୍ଲେଖନୀୟ, ଜେଡିୟୁ କର୍ମୀମାନେ ଅନେକ ଥର ନିତୀଶ କୁମାରଙ୍କ ପାଖରେ ନିଶାନ୍ତ କୁମାରଙ୍କୁ ଦଳରେ ସାମିଲ କରିବାକୁ କହି ଦାବି କରି ପୋଷ୍ଟର ଲଗାଇଛନ୍ତି। ଜେଡିୟୁ ନେତାମାନଙ୍କ ଅନୁସାରେ ନିଶାନ୍ତଙ୍କ ରାଜନୀତି‌ରେ ପ୍ରବେଶ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନେବାକୁ ପଡିବ। ଅନେକ ଜେଡିୟୁ ନେତା ନିଶାନ୍ତ ରାଜନୀତିରେ ଯୋଗଦେବା ଉଚିତ୍ ବୋଲି ଇଚ୍ଛା ପ୍ରକାଶ ମଧ୍ୟ କରିଛନ୍ତି।

Nitish Kumar | Bihar | Nishant Kumar | JDU